ବାଙ୍ଗୀୟ ପ୍ରେମିକାକୁ ହତ୍ୟା ଘଟଣା, ଝାଡ଼ଖଣ୍ଡ ପ୍ରେମିକ ଗିରଫ
ହାଟଡିହି (ଓ୍ବାଇଏନଏସ): ବାଙ୍ଗୀୟ ପ୍ରେମିକାକୁ ଓଡିଶା ଡକାଇ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଝାଡ଼ଖଣ୍ଡ ପ୍ରେମିକକୁ କେନ୍ଦୁଝର ପୋଲିସ ଝାଡ଼ଖଣ୍ଡରୁ ଗିରଫ କରି ସେଠାକାର ସ୍ଥାନୀୟ କୋର୍ଟରେ ଶନିବାର ହାଜର କରାଇଛି l ପରେ ଅଭିଯୁକ୍ତ ପ୍ରେମିକକୁ କେନ୍ଦୁଝର ଅଣାଯାଇଛି l ଏହି ଘଟଣା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି l ଆହୁରି ତଦନ୍ତ ବାକି ଅଛି l ତେବେ କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ସେନେଇ ଖୁବ ଶୀଘ୍ର ଘଟଣାର ସମ୍ପୂର୍ଣ ରହସ୍ୟ ଉନ୍ମୋଚନ ହେବ ବୋଲି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି l ସୋସୋ ଥାନାଧିକାରିଣୀ କାନନ ସାହୁ କହିଛନ୍ତି ଯେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା l କିନ୍ତୁ ଅଦ୍ୟାବଧି କେହି ଆସିଲେନି l ସୂଚନା ଯୋଗ୍ୟ, କେନ୍ଦୁଝର ଜିଲା ସୋସୋ ଥାନା ପୋଲିସ ନିକଟସ୍ଥ ବାଲିଆ ଅଞ୍ଚଳରୁ ଚଳିତ ମାସ ଗତ ଜୁନ ୨୩ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ଦେହ ପାଣି, କାଦୁଅ ବିଲରେ ମୁହଁ ମାଡି ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରିଥିଲା l ୟୁଡ଼ି ମାମଲା ନଂ ୧୦/୨୦୨୬ ପଞ୍ଜିକରଣ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲ ରେ ଶବ ବ୍ୟବଚ୍ଛେଦ କରାଇଥିଲା। କେନ୍ଦୁଝର ଏସପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ.ପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ ତଦନ୍ତ ଆରମ୍ଭ କରିଥିଲେ l ମୃତ ଦେହ ନିକଟରୁ ପୋଲିସ ଏକ ଭେନିଟ ବ୍ୟାଗ ଜବତ କରି ସେଥିରୁ ମହିଳାଙ୍କ ପରିଚୟ ଏବଂ ଘଟଣା ସମ୍ପର୍କିତ କିଛି ସୁରାକ ପାଇଥିଲା l ଫଳରେ ତଦନ୍ତ ଆଗେଇ ଥିଲା l ତଦନ୍ତ ସମୟରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ୧୨୭/୨୦୨୬ ରେ ଏକ ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା l ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଭଦ୍ରକ ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ କୁମାର ଜେନା (୨୨ ବର୍ଷ )ଙ୍କୁ ଗିରଫ କରି ହତ୍ୟାକାଣ୍ଡ ଘଟିଥିବା ସ୍ଥଳକୁ ନେଇ ସିନ ରିକ୍ରିଏସନ ସହ ତାଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା l ଅପର ପକ୍ଷେ ମୃତ ମହିଳା ଜଣକ ମୁସଲିମ ସମ୍ପ୍ରଦାୟର ଅଟନ୍ତି ଏବଂ ସେ ପୂର୍ବରୁ ଏକାଧିକ ବିବାହ କରିଥିବା ସୂଚନା ମିଳିଛି l


