ଟ୍ରାକ୍ଟର ଧକ୍କାରେ ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭ ଏଏସ -୫୬୨୨) ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ଚନ୍ଦନ ଦାସ ଓରଫ ବୁଡୁ(୩୫)। କ୍ଷତିପୂରଣ ଦାବୀ ରେ ସାହି ବାସିନ୍ଦା ରାସ୍ତାରେ ପଥର ପକାଇ ଟାୟାର ଜାଳି ଚନ୍ଦନ ଙ୍କ ମୃତଦେହ କୁ ରାସ୍ତା ଉପରେ ରଖି ଅବରୋଧ କରିଥିଲେ। ରାସ୍ତାର ଉଭୟ କଡ ରେ ଗାଡ଼ି ମଟର ଅଟକି ରହିଥିଲା। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ଆଇଆଇସି କିଶୋର କୁମାର ସାମଲ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠି ରୁ ଅନୁକମ୍ପା ମୂଳକ ସହାୟତା ଦିଆଯିବାର ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନକାରୀ ଙ୍କୁ ବୁଝା ଶୁଝା କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ ଟାରେ ରାସ୍ତା ଅବରୋଧ ହଟିଥିଲା। ଚନ୍ଦନ ଦାଦନ ଶ୍ରମିକ ଭାବେ କାମ କରନ୍ତି।ମଙ୍ଗଳବାର ମଧ୍ୟାହ୍ନ ରେ ଚନ୍ଦନ ତାଙ୍କ ପୁଅ ଙ୍କୁ ଧରି ହସ୍ପିଟାଲ ଛକ ରାସ୍ତାକଡ ରେ ଥିବା ତାଙ୍କ ଘରୁ ଯାଉଥିବା ବେଳେ ବିପରୀତ ଦିଗରୁ ଦୃତଗତି ରେ ଆସୁଥିବା ଏକ ବାଇକ ମୁହଁ ରୁ ପୁଅକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବେଳେ ଚନ୍ଦନ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡିଯିବାରୁ ଟ୍ରାକ୍ଟର ଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଆଖାପଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଛନ୍ତି।ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର କୁ ଜବତ କରି ଥାନାକୁ ନେଇଛନ୍ତି।ଟ୍ରାକ୍ଟର ଚାଳକ ଫେରାର ଥିବା ପୋଲିସ କହିଛି।


