ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା: ଜଣେ ପୂଜକ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. 10 ବର୍ଷର ଜଣେ ନାବାଳକଙ୍କୁ ଉଲଗ୍ନ କରି ପ୍ରବଳ ଖରାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଜଣେ ପୂଜକଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ପରିସରରେ ଗତକାଲି ଅପରାହ୍ନ ସମୟରେ ଜଣେ ନାବାଳକ ଖେଳୁଥିବା ବେଳେ ସେଠାକାର ପୂଜକ ତାକୁ ଧରି ତାର ଚୋରି କରୁଥିବା କହିଥିଲେ। ତେବେ ନାବାଳକଟି କୌଣସି ଚୋରି କରିନଥିବା କହିବା ପରେ ମଧ୍ୟ ପୂଜକ ଶିଶୁକୁ ଲଙ୍ଗଳା କରି ପ୍ରବଳ ଖରାରେ ଖୋଲା ଆକାଶ ତଳେ ମନ୍ଦିର ପରିସରରେ ଥିବା ଏକ ଲୁହା ଖୁଣ୍ଟରେ ବାନ୍ଧି ନିର୍ଯ୍ୟାତନା ଦେବା ସହ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ସେଠାକୁ ଯାଇ ପ୍ରତିବାଦ କରିବା ସହ ପୋଲିସକୁ ଖବର ଦେଇଥିଲେ। ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ସଂପର୍କିତ ଭିଡିଓ ଭାଇରାଲ ହେବା ପରେ ଶିଶୁ ମଙ୍ଗଳ ସମିତି ପାରଳା ଥାନାରେ ଘଟଣା ନେଇ ଏତଲା ଦେଇଥିଲେ। ଏହି ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳକର ବାପା ମରିଯାଇଥିବା ବେଳେ ମା ଦାଦନ ଶ୍ରମିକ ଭାବେ ଆନ୍ଧ୍ରରେ କାମ କରୁଛନ୍ତି। ନାବାଳକଟି ପାରଳାଖେମୁଣ୍ଡିରେ ତାର ଜେଜେମା ସହ ରହୁଛି। ଗତକାଲି ରବିବାର ଛୁଟି ଥିବାରୁ ଶିଶୁଟି ମଧ୍ୟାହ୍ନରେ ମନ୍ଦିର ପରିସରରେ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଛି ବୋଲି ଶିଶୁର ସଂପର୍କୀୟ କହିବା ସହ ଏଭଳି ଲୋକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏନେଇ ପାରଳା ଆଦର୍ଶ ଥାନା ରେ କେସ ନମ୍ବର 262/26 ଦଫା ଦଫା – ୧୨୬(୨),୧୨୭(୨),୧୯୬,୧୧୫(୨),୩୫୨(୨), ୭୫ jj act, 12 ପୋସ୍କ ଏକ୍ଟ ରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ପୂଜକ ବଳରାମ ପଣ୍ଡାଙ୍କୁ ଗିରଫ କରି କୋୖର୍ଟଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ