ଏଲଇଡ଼ି ଲାଇଟ ଦୁର୍ନୀତି ପ୍ରସଙ୍ଗ: ହାଟଡିହି ବ୍ଲକରେ ଭିଜିଲାନ୍ସ
ହାଟଡିହି(ଓ୍ବାଇଏନଏସ): ଭିଜିଲାନ୍ସ ତରଫରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଲାଗିଥିବା ଏଲଇଡି ଲାଇଟ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ବ୍ଲକ ଅଧୀନ ୩୧ ପଞ୍ଚାୟତ ମଧ୍ୟରୁ ୧୭ଟି ପଞ୍ଚାୟତରେ ଏଲଇଡି ଲାଇଟ ଲାଗିଥିଲା l ଗୁରୁବାର ସକାଳେ ୨ ଜଣିଆ ଭିଜିଲାନ୍ସ ଟିମ୍ ପହଞ୍ଚି ହାଟଡିହି ବ୍ଲକରେ ଅନୁଧ୍ୟାନ ଏବଂ ତଦନ୍ତ ଆରମ୍ଭ କରିଛନ୍ତି l ବ୍ଲକ ଅଧୀନ ଆଇତିପୁର, ଅଁରା, ଆମ୍ବୋ, ଅକରୁଆ, ବଞ୍ଚୋ, ବଡ଼ରମ୍ପାସ, ଗେଡ଼ମା, ହାବଳେଶ୍ୱର, କଳିଗାଁ, ଓରାଳି, ମରେଇଗାଁ, ପଞ୍ଚୁଗୋଛିଆ, ଶାସଙ୍ଗ, ସଡ଼ଙ୍ଗ, ସୁଲଣ, ଶାଳଣିଆଁ, ପନ୍ଦାଡୋ ଆଦି ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କରେ ଲାଗିଥିବା ଏଲଇଡ଼ି ଲାଇଟର ସ୍ଥିତାବସ୍ଥା ବିଷୟରେ ପଚାରି ବୁଝିଥିଲେ l ଏଥିସହ ସଚଳ ଏବଂ ଅଚଳ ଏଲଇଡ଼ି ଲାଇଟର ରିପୋର୍ଟ ପିଇଓ ମାନଙ୍କ ଠାରୁ ମଗାଇଛନ୍ତି l କୌଣସି ପଞ୍ଚାୟତକୁ ଭିଜିଲାନ୍ସ ଯାଇନଥିବା ବେଳେ ପ୍ରାଥମିକ ଭାବେ ବ୍ଲକରେ ପହଞ୍ଚି ଏଲଇଡି ଲାଇଟ ସମ୍ପର୍କିତ ରିପୋର୍ଟ ଦିଗରେ ଅନୁଧ୍ୟାନ କରିଥିଲେ l ଆସନ୍ତା କାଲି ବିଭିନ୍ନ ପଞ୍ଚାୟତ ବୁଲି ତଦନ୍ତ କରିବାର କାର୍ଯ୍ୟକ୍ରମ ଅଛି। ଏଠାରେ ସୂଚନା ଯୋଗ୍ୟ , ଗତ ୨୦୨୧-୨୨ବର୍ଷରେ ପଞ୍ଚାୟତର ୫ମ ଅର୍ଥ କମିଶନରୁ ଅନୁଦାନ ଖର୍ଚ୍ଚ ହୋଇ ଏକ ଠିକା ସଂସ୍ଥା ଦ୍ୱାରା ପଞ୍ଚାୟତ ମାନଙ୍କରେ ଏଲଇଡ଼ି ଲାଇଟ ଲଗାଯାଇଥିଲା l ଏଥିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବାପରେ ଠିକା ସଂସ୍ଥାର ଠିକାଦାରଙ୍କୁ ଭିଜିଲାନ୍ସ ପୂର୍ବରୁ ଗିରଫ କରିଛି। ଆଜି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ ତାଙ୍କ ପଞ୍ଚାୟତରେ ଲାଗିଥିବା ନିମ୍ନ ମାନର ଲାଇଟ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସିଂଡୋବ ଗ୍ରାମରେ ଏହି ଏଲଇଡି ଲାଇଟ ଲାଗିଥିବା ବେଳେ ମାତ୍ର ଗୋଟିଏ ମାସ ଭିତରେ ସବୁ ଗୁଡିକ ଅଚଳ ହୋଇ ପଡିଥିଲା। ସରକାରୀ ବାବୁଙ୍କ ସହଯୋଗ କ୍ରମେ ଠିକା ସଂସ୍ଥାକୁ ଡକାଇ ଲାଇଟ ଗୁଡିକ ମରାମତି ପାଇଁ କୁହା ଯିବା ପରେ ଠିକାସଂସ୍ଥାର କର୍ମଚାରୀ ମାନେ ଏଲଇଡି ଲାଇଟ ଗୁଡିକୁ ଖୋଲି ନେଲେ ଯେ ଆଉ ଲଗାଇଲେ ନାହିଁ। ପରବର୍ତ୍ତୀ ସମୟରେ ପଞ୍ଚାୟତ ଅନୁଦାନ ଖର୍ଚକରି ନୂଆ ଲାଇଟ ଲଗାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।


