ନୀଳାଦ୍ରି ମହୋଦୟରେ ପଟିଦିଅଁ ଲୀଳା

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର। ଯାହାଙ୍କ ରହସ୍ୟ ବ୍ରହ୍ମାଦି ଶଙ୍କରଙ୍କୁ ଅଗୋଚର , ସେହି ରହସ୍ୟମୟଙ୍କ ରହସ୍ୟକୁ କିପରି ବା ସାମାନ୍ୟ ମଣିଷ ଜାଣିପାରିବ। ତେଣୁ ଶାସ୍ତ୍ରରେ କୁହାଯାଇଛି: ସର୍ଵ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବାଃ ନ ଜାନନ୍ତି କୁତଃ ମନୁଷ୍ୟା।। ଏହାଙ୍କ ଲୀଳା ମଧ୍ୟ ଅତ୍ୟନ୍ତ ରହସ୍ଯପୂର୍ଣ୍ଣ। ସେ କେବେ ମାନବୀୟ ଲୀଳା କରନ୍ତି ତ, କେବେ ଐଶ୍ୱରୀୟ ଲୀଳା। ସେଥିମଧ୍ୟରୁ ୧୫ ଦିନ ଅନବସର ସମୟରେ ଗୋଟାଏ ଲୀଳା ଅନୁଷ୍ଠିତ ହୋଇଥାଏ ଶ୍ରୀମନ୍ଦିର ଭିତରେ। ଯାହାକୁ କୁହାଯାଏ ପଟବ୍ରହ୍ମ ବା ପଟିଦିଅଁ ଲୀଳା।
ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ନୀତି ବଢିବା ପରେ ଠାକୁରମାନେ ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହାପରେ ବେଶ ଗୁଡିକୁ ଓଲାଗି ( ବାହାର) କରାଯାଏ ଏବଂ ମହାପ୍ରଭୁଙ୍କ ଠାରୁ ପଟିଦିଅଁ ମାନଙ୍କ ପାଖକୁ ଆଜ୍ଞାମାଳ ଯାଇଥାଏ ।
ସ୍ନାନ ବେଦୀର ନୀତି ବଢିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଘର ବା ଅଣସର ପିଣ୍ଡିକୁ ଅଣାଯାଏ ବୋଲି ନୀଳାଦ୍ରି ମହୋଦୟରେ ଏପରି “ସ୍ନାନୋତ୍ସବସ୍ୟ ତସ୍ୟାନ୍ତେ ନୀରୋଧନଗୃହେ ବିଭୁମ୍” କୁହାଯାଇଛି । ଏଥି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଟିକୁ ଅଣସର ଘର ଆଗରେ ଆବରଣ କରାଯାଏ। ଏହି କାର୍ଯ୍ୟକୁ କୋଠ ସୁଆଁସିଆ ସେବକମାନେ କରିଥାନ୍ତି। ତା’ସହିତ ଅଣସର ଘର ଆଗରେ ଏକ ଖଟସହ ବାଉଁଶରୁ ତିଆରି ତାଟିକୁ ରୁନ୍ଧା ( ବନ୍ଧା) ଯାଏ। ସେହି ତାଟିର ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମା ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଏପରି ତିନୋଟି ପଟିଦିଅଁଙ୍କୁ ସ୍ଥାପନ କରାଯାଏ। ଏହାସହ ଶ୍ରୀମନ୍ଦିରର ଦକ୍ଷିଣ ଘରୁ ପଞ୍ଚଟି ଧାତୁ ବିଗ୍ରହ ଯଥା: ବାଡ଼ି ନୃସିଂହ, ରାମ, କୃଷ୍ଣ, ମଦନମୋହନ ଓ ଦୋଳଗୋବିନ୍ଦ ଏବଂ ମନ୍ଦିର ଭିତରୁ ଦୁଇଟି ବିଗ୍ରହ ଶ୍ରୀଦେବୀ ଓ ଭୂଦେବୀ ଏପରି ସାତଟି ବିଗ୍ରହ ଅଣାଯାଏ।
ଶ୍ରୀବଳଭଦ୍ରଙ୍କ ବାଡ଼ରେ ଶୋଭା ପାଉଥିବା ଧବଳ ବର୍ଣ୍ଣର ବାସୁଦେବ ପଟିଦିଅଁ ଚତୁର୍ଭୁଜ ଅଟନ୍ତି ବୋଲି ନୀଳାଦ୍ରି ମହୋଦୟରେ କୁହାଯାଇଛି:
ତତ୍ରୈଵ ନିର୍ମିତଂ ରାମଂ ଧବଳଂ ଚ଼ ଚତୁର୍ଭୁଜମ୍ ।
ଶଙ୍ଖଚକ୍ରଂ ହଳଂ ତାବଦ୍ଦାଧାନଂ ପଦ୍ମାସନ ଗତାଂ ଶୁଭାମ୍ ।।
ସେ ଉପର ବାମ ହାତରେ ଶଙ୍ଖ ଓ ଦକ୍ଷିଣ ହସ୍ତରେ ଚକ୍ର ଏବଂ ତଳ ବାମ ହାତରେ ହଳ ଓ ଦକ୍ଷିଣ ହସ୍ତରେ ମୂଷଳ ଧାରଣ କରିଥାନ୍ତି। ବକ୍ଷଦେଶରେ ଯଜ୍ଞ ଉପବିତ ଏବଂ ମସ୍ତକ ଉପରେ ସପ୍ତଫେଣୀ ଶେଷନାଗ ଶୋଭା ପାଉଥାଏ। ଠାକୁରଙ୍କ ଡାହାଣ ପାର୍ଶ୍ୱରେ ଭଗବାନ୍ ଶଙ୍କର ଓ ବାମରେ ନାରଦ ନମସ୍କାର ମୁଦ୍ରାରେ ଦଣ୍ଡାୟମାନ ରହିଥାନ୍ତି। ପ୍ରଭୁ ବାସୁଦେବ ଏକ ବହୁତଳ ବିଶିଷ୍ଟ କୁଞ୍ଜ ମଧ୍ୟରେ ପଦ୍ମାସନ ମୁଦ୍ରାରେ ବସିଥାନ୍ତି। ସେଭଳି ମା ସୁଭଦ୍ରାଙ୍କ ବାଡ଼ରେ ପୀତବର୍ଣ୍ଣା ଦେବୀ ଭୁବନେଶ୍ୱରୀଙ୍କୁ ସ୍ଥାପନ କରାଯାଏ ବୋଲି ବର୍ଣ୍ଣନା ରହିଛି:
ସୁଭଦ୍ରାଂ ପୀତବର୍ଣ୍ଣାଭାଂ ପଦ୍ମାସନ ଗତାଂ ଶୁଭାମ୍।
ଚତୁର୍ଭୁଜାଂ କରଦ୍ୱନ୍ଦେ ଧୃପପଦ୍ମଦ୍ୱୟଂ ପରମ୍।।
ସେ ଚତୁର୍ଭୁଜା, ଉପର ଦୁଇ ହାତରେ ପଦ୍ମ ଫୁଲ ଏବଂ ତଳ ବାମ ହାତ ବରଦା ମୁଦ୍ରା ଓ ଦକ୍ଷିଣ ଅଭୟ ମୁଦ୍ରା ସହ ପଦ୍ମାସନରେ ବିଶିଷ୍ଟ କୁଞ୍ଜ ମଧ୍ୟ ଦେଶରେ ବସିଥାନ୍ତି। ଦେବୀଙ୍କ ଦୁଇ ପାଖରେ ଜୟା ଓ ବିଜୟା ବେନି ସଖୀ ଆଲଟ ଚାମର ସେବା କରି ଚାଲିଥାନ୍ତି। ସେପରି ଜଗନ୍ନାଥଙ୍କ ବାଡ଼ରେ କୃଷ୍ଣ ବର୍ଣ୍ଣର ନାରାୟଣ ପଟିଦିଅଁ ସ୍ଥାପନ କରାଯାଏ ବୋଲି କଥିତ ରହିଛି:
ନୀଳାଜୀମୂତ ସଂକାଶଂ ପଦ୍ମାସନ ବିରାଜିତମ୍
ଶଙ୍ଖଚକ୍ରଗଦାପଦ୍ମ ବିଲସତ୍କର ପଙ୍କଜମ୍।।
ମହାପ୍ରଭୁ ପାଟପିତାମ୍ବରି ଏବଂ ଆଭୂଷଣରେ ଆଭୂଷିତ ହୋଇ ଏକ ସୁସଜ୍ଜିତ କୁଞ୍ଜ ମଧ୍ଯ ଭାଗରେ ଚତୁର୍ଭୁଜ ଯୁକ୍ତ ଛନ୍ଦା ଚରଣ ପଦ୍ମମୁଦ୍ରାରେ ଉପବେଶନ କରିଥାନ୍ତି। ଉପର ବାମ ହାତରେ ଶଙ୍ଖ ଓ ଦକ୍ଷିଣ ହସ୍ତରେ ଚକ୍ର ଏବଂ ତଳ ବାମ ହାତରେ ପଦ୍ମ ଓ ଦକ୍ଷିଣ ହସ୍ତରେ ଗଦା ଧରିଥାନ୍ତି। ଠାକୁରଙ୍କ ହୃଦ ପଦ୍ମରେ କୌସ୍ତୁବ ଏବଂ ହଳଦିଆ ରଙ୍ଗର ପଇତା ଶୋଭା ପାଉଥାଏ। ସେ ସ୍ମିତ ଗାଭିର୍ଯ୍ୟ ମୁଖରେ ଉଦ୍ଭାସିତ ହେଉଥାନ୍ତି। ବସିଥିବା ପଦ୍ମାସନର ଦକ୍ଷିଣ ପାଖରେ ଚାରିଜଣ ଓ ବାମ ପାଖରେ ତିନିଜଣ ସପ୍ତର୍ଷି ଦଣ୍ଡାୟମାନ ହୋଇ ବନ୍ଦନା କରୁଥାନ୍ତି।
ପୂର୍ବରୁ ଆସିଥିବା ସପ୍ତଗୋଟି ଧାତୁ ବିଗ୍ରହ ମଧ୍ୟରୁ ବାଡ଼ି ନୃସିଂହ, ରାମ ଓ କୃଷ୍ଣ ଆଦିଙ୍କୁ ବାସୁଦେବ ପଟିଦିଅଁଙ୍କ ଖଟ ଉପରେ ରଖାଯାଏ। ସେ’ପରି ଭୁବନେଶ୍ୱରୀ ପଟିଦିଅଁଙ୍କ ଡାହାଣ ପାର୍ଶ୍ୱରେ ଭୂଦେବୀ ଓ ବାମ ପାଖରେ ଶ୍ରୀଦେବୀ ଏବଂ ନାରାୟଣ ପଟିଦିଅଁଙ୍କ ଡାହାଣରେ ମଦନ ମୋହନ ଓ ବାମରେ ଦୋଳଗୋବିନ୍ଦଙ୍କୁ ଯଥା ରୀତିରେ ସ୍ଥାପନ କରାଯାଏ। ଦୁଇଗୋଟି ଦୀପକୁ କାଠରୁଖା ଉପରେ ରଖାଯାଇ ଥାଏ। ଏହି ସ୍ଥାନରେ ପତିମହାପାତ୍ର ଉପସ୍ଥିତ ରହିଥାନ୍ତି। ପ୍ରତିଦିନ ମଙ୍ଗଳ ଆଳତୀ ଠାରୁ ପୌଢ ନୀତି ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନ ବଢ଼ିଥାଏ। ଏହା ସହ ଷାଠିଏ ପଉଟି ସଙ୍ଖୁଡ଼ି (ଅମୁଣିଆ) ଭଣ୍ଡ ଘରେ ଏବଂ ସକାଳ ଧୂପ ( ଭୋଗ), ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପଞ୍ଚୋପଚାର ବିଧିରେ ହିଁ ହୋଇଥାଏ। କିନ୍ତୁ ପୂଜା ସମୟରେ ଘଣ୍ଟି କିମ୍ୱା ଝାଞ୍ଜାଦି ବାଜେନାହିଁ। କିନ୍ତୁ ଅନବସର ଘରେ ଚତୁର୍ଦ୍ଧାମର୍ତ୍ତିଙ୍କୁ ଚକଟା ଭୋଗ ହୋଇଥାଏ। କାରଣ ଠାକୁରମାନେ ଜ୍ୱରରେ ପୀଡ଼ିତ ଥାନ୍ତି। ଉଭୟ ପଟିଦିଅଁ ଓ ଦାରୁବ୍ରହ୍ମ ଭିତରେ କିଛିବି ପ୍ରଭେଦ ନାହିଁ। ଦାରୁବ୍ରହ୍ମ ଯେଭଳି ପ୍ରତି କାର୍ଯ୍ୟ ପାଇଁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି, ସେଭଳି ପଟିଦିଅଁଙ୍କ ଆଜ୍ଞାମାଳ ମଧ୍ଯ ଯାଇଥାଏ। ଯେପରି ନବଯୌବନ ଦିନ ରଥ ତିନିକୁ ସିଂହ ଦ୍ଵାର ନିକଟକୁ ଆଣିବା ପାଇଁ।
ପଟିଦିଅଁ ମାନଙ୍କୁ ମହାପ୍ରଭୁଙ୍କ ପାରମ୍ପରିକ ଚିତ୍ରକର ସେବକମାନେ, ନିଜ ବାସ ଗୃହରେ ଜ୍ୟେଷ୍ଠ ମାସ ଶୀତଳ ଷଷ୍ଠୀ ଦିନ ଠାରୁ ନିର୍ମାଣ କର୍ମର ଆୟମାରମ୍ଭ କରିଥାନ୍ତି। ଏଥିରେ ସେମାନେ ପ୍ରାକୃତିକ ରଙ୍ଗ ଯଥା: ହିଙ୍ଗୁଳ, ହରିତାଳ, ନୀଳ ପୋଲାଙ୍ଗ କଳା ଏବଂ ଶଙ୍ଖ ଇତ୍ଯାଦିରୁ ନିର୍ମିତ୍ତ ଧଳା, କଳା, ନୀଳ, ହଳଦୀ ଓ ନାଲିର ବ୍ୟବହାର କରିଥାନ୍ତି। ଯେତେବଳେ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇଯାଏ, ସ୍ନାନ ପୂର୍ଣ୍ଣିମା ରାତ୍ରରେ ଚିତ୍ରକର ସେବକମାନେ ସେଠାରେ ଥିବା କାନ୍ଥରେ ଟାଙ୍ଗି ପଟିଦିଅଁ ମାନଙ୍କୁ ବନ୍ଦାପନା କରିଥାନ୍ତି। ଏହାପରେ ଶ୍ରୀମନ୍ଦିରରୁ ଆସିଥିବା ସ୍ୱତନ୍ତ୍ର କାହାଳୀ ଓ ଘସାବାଦ୍ୟ ବାଜଣାରେ ସେବକମାନେ ପତୁନି ଗୁଡ଼ାଇ ବଡ଼ଦେଉଳକୁ ନେଇଥାନ୍ତି। ସେଠାରେ ପନ୍ଦରଦିନ ପର୍ଯ୍ୟନ୍ତ ପୂଜିତ ହେବାପରେ ନବଯୌବନ ଦର୍ଶନ ଦିନ ବିସର୍ଜନ କରାଯାଏ। ଏହାପରେ ଉକ୍ତ ପଟିଦିଅଁ ମାନଙ୍କୁ ଶ୍ରୀମନ୍ଦିର ଭିତର ବେଢ଼ାର ମଣ୍ଡଣି ଘର ଅର୍ଥାତ୍ ଗୋପେଶ୍ୱର ମନ୍ଦିରରେ ରଖାଯାଏ।
ସ୍ବୟଂ ପରଂବ୍ରହ୍ମ ହୋଇ ମଧ୍ଯ ଶ୍ରୀଜଗନ୍ନାଥ ଭକ୍ତ ଓ ଅଙ୍ଗଲାଗି ସେବକଙ୍କ ଇଚ୍ଛା ପୂରଣ ପାଇଁ ଏହି ଲୀଳା କରିଛନ୍ତି। ସେ ଅନବସର ପନ୍ଦର ଦିନ ଭିତରେ ଦଇତାପତି ସେବକଙ୍କୁ ସେବାର ସୁଯୋଗ ଦେଇଥାନ୍ତି। ଏହି ସେବକମାନଙ୍କର ଇତ୍ୟବସରେ ଏତେ କାର୍ଯ୍ୟ ବଢ଼ି ଯାଏ ଯେ, ସେମାନେ କ୍ଷଣେବି ସମୟ ପାନ୍ତି ନାହିଁ। ତେଣୁ ତାହାଙ୍କ ପାଇଁ ନ-ଅବସର ଅନବସର ବୋଲି କୁହାଯାଏ। ସେଭଳି ଅନ୍ୟ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚର୍ମ ଚକ୍ଷୁରେ ଏ ସମୟରେ ଦର୍ଶନ କରିବାର ଅବସର ପାନ୍ତି ନାହିଁ। ଅତଃ ଏହିମାନଙ୍କ ପାଇଁ ମଧ୍ୟ ଏ ଶବ୍ଦର ବ୍ୟବହାର କରାଯାଇଛି। ମହାପ୍ରଭୁ ସେବକ ଓ ଭକ୍ତଙ୍କ ଲାଗି କାଳ କାଳ ଧରି ଏପରି ଲୀଳା ଖେଳା କରିଚାଲିଛନ୍ତି। ଯାହାକୁ ସମ୍ପୂର୍ଣ୍ଣ ରୂପରେ ବର୍ଣ୍ଣନା କରିବା ସାମାନ୍ୟ ବୁଦ୍ଧିର ପରର କଥା। କେବଳ ତାଙ୍କର ଲୀଳାମାଧୂର୍ଯ୍ୟକୁ ଦେଖି ଆନନ୍ଦିତ ହେବା, ଆମ ଭଳି ସଧାରଣ ମଣିଷଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟ ବିଷୟ।
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର


