କଟକ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ସନ୍ଦେହ ଜନକ ମୃତ୍ୟୁ ; ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଥାନା କ୍ଵାଟର୍ସରୁ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଚାଉଳିଆଗଞ୍ଜ ପୋଲିସ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାରେ ଡ୍ୟୁଟି କରିଥିଲେ ଆଇଆଇସି ବିୟୁଟି ମହାନ୍ତି । ରାତି ସାଢେ ୧୦ଟା ପରେ ମହିଳା ଥାନା ଅଧିକାରୀ ଜଣକ ନିଜ ସରକାର ବାସଭବନକୁ ନଯାଇ, ଥାନାର ଉପର ମହଲାରେ ଥିବା ରେଷ୍ଟରୁମ୍କୁ ଯାଇଥିଲେ । ରାତିରେ ତାଙ୍କ ଅର୍ଡ଼ର୍ଲି ଖାଇବାକୁ ନେଇ ଯାଇଥିଲେ ମଧ୍ୟ କଲ୍ ଉଠାଇନଥିଲେ ଆଇଆଇସି ମାଡାମ୍ । ତେଣୁ ସେ ରାତିରେ ଖାଇନଥିଲେ । ଶନିବାର ସକାଳୁ ସେ ବହୁ ସମୟ ଧରି କବାଟ ଖୋଲିନଥିଲେ । ଏମିତିକି ତାଙ୍କୁ ବହୁ ବାର ଫୋନ୍ କରାଯିବ ସତ୍ତ୍ବେ ସେ ଫୋନ୍ ଉଠାଇନଥିଲେ । ଫଳରେ ଥାନାର କର୍ମଚାରୀମାନେ ସନ୍ଦେହ କରିଥିଲେ । ଏହା ପରେ ଥାନାରୁ କିଛି କର୍ମଚାରୀ ଯାଇ ରେଷ୍ଟରୁମ୍ର କବାଟ ବାଡ଼େଇଥିଲେ । ତଥାପି ରେଷ୍ଟରୁମ୍ ଭିତରୁ କିଛି ବି ପ୍ରତିକ୍ରିୟା ମିଳିନଥିଲା । ପୋଲିସର ବରିଷ୍ଠ ଅଧିକାରୀ ମାନେ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ । ସେମାନଙ୍କ ନିର୍ଦ୍ଦେଶରେ ରେଷ୍ଟରୁମ୍ର କବାଟ ଭଙ୍ଗା ଯାଇଥିଲା । ରୁମ୍ ଭିତରେ ଆଇଆଇସି ବିୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ପରେ ତାଙ୍କୁ ଉଦ୍ଧାର କରି କଟକ ଏସସିବି କୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଟ୍ବିନ୍ ସିଟି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି ଯେ ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ । ବିନା କାରଣରେ ହୁଏନି । ତାଙ୍କର କୌଣସି ବ୍ୟକ୍ତିଗତ କାରଣ ଥାଇପାରେ । ସେନେଇ ଅନୁଧ୍ୟାନ କରିବୁ। କାଲି ରାତିରେ ସେ ଘରକୁ ଯାଇ ନଥିଲେ। ଥାନା ରେଷ୍ଟ ରୁମରେ ଥିଲେ । ସେ ଶାରୀରିକ ଓ ମାନସିକ ଭାବେ ବହୁତ ଦୃଢ଼ ଥିଲେ । କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି । କମିଶନରେଟ୍ ପୋଲିସରେ ସେ ଭଲ କାମ କରୁଥିଲେ । ତାଙ୍କର ପବ୍ଲିକ ଡିଲିଂ ଭଲ ଥିଲା । ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ । ଖବର ପାଇଁ କଟକ ଏସସିବି ରେ ପହଞ୍ଚିଥିଲେ ମୃତ ଆଇଆଇସି ବିୟୁଟି ମହାନ୍ତିଙ୍କ ବାପଘର ଓ ଶାଶୁଘର ଲୋକେ । ବିୟୁଟି ମହାନ୍ତିଙ୍କ ସ୍ବାମୀ ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରନ୍ତି । ସେ ମଧ୍ୟ ଖବର ପାଇ ଆସି କଟକରେ ପହଞ୍ଚିଛନ୍ତି । ବିୟୁଟି ମହାନ୍ତିଙ୍କର ୧୦ ବର୍ଷର ପୁଅ ମଧ୍ୟ ଅଛି । ତାଙ୍କୁ ମଧ୍ୟ କଟକ ଏସସିବି ରେ ଦେଖିବାକୁ ମିଳିଥିଲା । ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ମହିଳା ଇନ୍ସପେକ୍ଟର ବିୟୁଟି ମହାନ୍ତି ? କ’ଣ ଏମିତି ଘଟିଥିଲା ଯେ ତାଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଲା ? ତାଙ୍କ ଜୀବନରେ ଏମିତି କ’ଣ ଘଟିଥିଲା ଯେ, ସେ ନିଜର ୧୦ବର୍ଷର କୁନି ପୁଅ କଥା ବି ଟିକେ ଚିନ୍ତା କଲେନି ? ଘରକୁ ନଯାଇ ନିଜ ପରିବାରର କାହାକୁ କିଛି ନକହି ରାତିରେ ଥାନାର ରେଷ୍ଟରୁମ୍ ଏଭଳି ଆତ୍ମହତ୍ୟା କରିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ମହିଳା ପୋଲିସ ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ଏଭଳି ମୃତ୍ୟୁ ଘଟଣା ପଛରେ ଅନେକ କିଛି ରହସ୍ୟ ଥିବା ନେଇ ତାଙ୍କର ଦୂର ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତେବେ ବିୟୁଟି ମହାନ୍ତିଙ୍କ ଭଉଣୀ ଓ ତାଙ୍କ ପରିବାର ଲୋକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ଥାନା ରେଷ୍ଟରୁମ୍ରେ ଜଣେ ମହିଳା ଥାନା ଅଧିକାରୀଙ୍କ ଏଭି ସନ୍ଦେହଜନକ ମୃତ୍ୟୁକୁ ଅତ୍ୟନ୍ତ ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । ପୋଲିସ ତଦନ୍ତରୁ କ’ଣ ସାମ୍ନାକୁ ଆସୁଛି ତା ଉପରେ ରହିଛି ନଜର ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ