ସଢା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ବିନା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ବେଳେ ଜଳ ଛତ୍ର ଖୋଲା ନଯାଇ ମଧ୍ୟ ଲକ୍ଷାଧିକ ଟଙ୍କା ଉଠାଇ ନିଆ ଯାଇଛି। ସୂଚନା ଅନୁଯାଇ ଚଳିତ ବର୍ଷ ପଞ୍ଚାୟତର କୌଣସି ଗୋଟିଏ ୱାର୍ଡରେ ଜଳ ଛତ୍ର ଖୋଲା ଯାଇ ନଥିବା ବେଳେ ସଢା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଳାଯାଇ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆ ଯାଇଥିବା ଦର୍ଶାଯାଇ ବ୍ଲକରୁ ଭାଉଚର ଦେଖାଇ ୧୧/୬/୨୦୨୬ରେ ୧ ଲକ୍ଷ ୬ଟଙ୍କା ଉଠାଇ ନିଆ ଯାଇଛି। ଏହି ଟଙ୍କା ପିଇଓ ଙ୍କ ଏକାଉଣ୍ଟ କୁ ଦିଆ ଯାଇଥିବା ବ୍ଲକ ପକ୍ଷରୁ କୁହା ଯାଇଛି। କିନ୍ତୁ କୌଣସି ଗ୍ରାମରେ ଜଳ ଛତ୍ର ଖୋଲା ଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ବର୍ଜ୍ୟ ବସ୍ତୁ ସଂଗ୍ରହ ନାମରେ ମୋଟ ୧ଲକ୍ଷ ୨୯ ହଜାର ୬୦୦ଟଙ୍କା ଉଠାଣ ହୋଇଛି। ପ୍ରତି ଘର ମାନଙ୍କରୁ ଅଇଳା ଆବର୍ଜନା ପଞ୍ଚାୟତ ଅଣା ଯିବାକୁ ଏହି ଟଙ୍କା ଖର୍ଚ ହୋଇଥିବା ଦର୍ଶାଇ ଗତ ୨/୧୧/୨୦୨୫ ରେ ଏହି ଟଙ୍କା ପିଇଓଙ୍କ ଏକାଉଣ୍ଟ କୁ ଦିଆ ଯାଇଛି। ସେହିପରି ଖଳାଗଡିଆ ପୋଖରୀ ଚାରିପଟେ ବୃକ୍ଷ ରୋପଣ ହୋଇଥିବା ଦର୍ଶାଇ ୪୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତ ୨୦/୨/୨୦୨୬ରେ ଭାଉଚର ମାଧ୍ୟମରେ ପିଇଓ ଙ୍କ ଏକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଗୋଟିଏ ବି ଗଛ ଲାଗି ନଥିବା ଗ୍ରାମର ଅନନ୍ତ ପହି, ନରେନ୍ଦ୍ର ପୁହାଣ, ଅରବିନ୍ଦ ମହାନ୍ତି, ଭଗବାନ ବରାଳ, କୃପାସିନ୍ଧୁ ରାଉତ, ଅକ୍ଷୟ କୁମାର ପହି, ଗଦାଧର ପଢ଼ିଆରୀ, ଜଗନ୍ନାଥ ପୁହାଣ ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପିଇଓ ବାପୁଜୀ ସା ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ କରି ନଥିଲେ। ଏନେଇ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯଦି ଅନିୟମିତତା ହୋଇଥାଏ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।


