ସ୍ଥାଣୁ ପାଲଟିଛି ପ୍ରାଣୀ ଚିକିତ୍ସାସେବା : ୫ ପ୍ରାଣୀଧନ ନିରୀକ୍ଷକ ଓ ୧୧ ଆଟେଣ୍ଡାଣ୍ଟ ପଦବୀ ଖାଲି
ଆସିକା(ୱାଇଏନ୍ଏସ୍): ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମାଞ୍ଚଳରେ ସ୍ଥାଣୁ ପାଲଟିଛି ପ୍ରାଣୀ ଚିକିତ୍ସା । ବର୍ଷ ବର୍ଷ ଧରି ପ୍ରାଣୀଧନ ସହାୟତା କେନ୍ଦ୍ର ଗୁଡିକରେ ୫ଟି ପ୍ରାଣୀଧନ ନିରୀକ୍ଷକ ଓ ୧୧ଟି ଆଟେଣ୍ଡାଣ୍ଟ (ସେବକ) ପଦବୀ ଗୁଡିକ ଖାଲି ପଡିିଥିବା ଯୋଗୁଁ ପଶୁ ଚିକିତ୍ସା କେନ୍ଦ୍ର ଗୁଡିକ ଅଚଳ ହୋଇ ପଡିରହିଛି । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଆସିକା ବ୍ଳକ ପରିସରଭୁକ୍ତ ହରିଡାପଦର, ଭେଟନଇ, ଖୁକୁଣ୍ଡିଆ, ବାଲିଛାଇ, ନଳବଣ୍ଟା ପ୍ରାଣୀଧନ ସହାୟତା କେନ୍ଦ୍ରରେ ପ୍ରାଣୀ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିଥିଲା ବେଳେ ନଳବଣ୍ଟା, ହରିଡାପଦର, ବାବନପୁର, ଗହଙ୍ଗୁ, ଭେଟନଇ, ନିମିନା, ଖୁକୁଣ୍ଡିଆ, ବାଲିସିରା, ଗୁଣ୍ଠପଡା, ବାଲିଛାଇ, ସିଦ୍ଧନଇ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଆଟେଣ୍ଡାଣ୍ଟ୍ ପଦବୀ ଖାଲି ପଡିଥିବା ଜଣାପଡିଛି । ଗୋପାଳକଙ୍କ ସର୍ବାଙ୍ଗୀନ ବିକାଶ ତଥା ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ପକ୍ଷରୁ ଗାଇଗୋରୁଙ୍କ ଚିକିତ୍ସା ପାଇଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲିବା ସହ ପ୍ରର୍ଯ୍ୟାପ୍ତ ପରିମାଣର ଔଷଧ ଓ ଟୀକା ମଧ୍ୟ ଯୋଗାଇ ଦେବା ସାଙ୍ଗକୁ ଗୋପାଳକମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ କାମଧେନୁ ଯୋଜନା ଠାରୁ ଆରମ୍ଭ କରି ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ତେବେ ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ଗ୍ରାମପଞ୍ଚାୟତର ଅଧିନସ୍ଥ ଅଞ୍ଚଳରେ ଥିବା ୧୧ଟି ପ୍ରାଣୀଧନ ସହାୟତା କେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିଥିବା ଯୋଗୁଁ ଗ୍ରାମାଞ୍ଚଳର ହଜାର ହଜାର ଜନତା ଆବଶ୍ୟକ ସମୟରେ ନିଜର ଗୃହପାଳିତ ପଶୁଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ଯୋଗାଇବା କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସିକା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ୫ଟି ପ୍ରାଣୀଧନ ନିରୀକ୍ଷକ ଓ ୧୧ଟି ଆଟେଣ୍ଡାଣ୍ଟ୍ ପଦବୀ ଖାଲି ପଡିଥିବା ବେଳେ ମରାମତି ଅଭାବରୁ କେତେକ ପ୍ରାଣୀଧନ ସହାୟତା କେନ୍ଦ୍ର ଗୁଡିକ ଲଟାବୁଦାରେ ପରିଣତ ହୋଇ ବିଷାକ୍ତ ସର୍ପଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବା ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଛି । ଗ୍ରାମାଞ୍ଚଳ ଗୁଡିକରେ ଥିବା ଅଧିକାଂଶ ପ୍ରାଣୀଧନ ସହାୟତା କେନ୍ଦ୍ର ଗୁଡିକ ଭୂତକୋଠୀରେ ପରିଣତ ହୋଇ ତାଲା ଝୁଲୁଛି । ଗାଁ ଗଣ୍ଡାର ଲୋକେ ନିଜ ଗୃହପାଳିତ ପଶୁଙ୍କୁ ଧରି ପ୍ରାଣୀଧନ ସହାୟତା କେନ୍ଦ୍ରକୁ ଚିକିତ୍ସା ପାଇଁ ଆସି ନିରାଶ ହୋଇ ବିଭିନ୍ନ ସମୟରେ ଫେରୁଥିବା ବେଳେ ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରାଣୀଧନ ନୀରିକ୍ଷକମାନେ ପ୍ରାଣୀ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପଶୁ ଚିକିତ୍ସା ସେବା ଏବେ ଏମିତି ଜଟିଳ ଅବସ୍ଥାକୁ ଆସିଯାଇଛି ଯେ ଅଧିକାଂଶ ଜନତା ନିଜ ଗାଇଗୋରୁଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ନପାରି ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ଗାଁ ଗହଳି ଗୁଡିକରେ ପଶୁ ଚିକିତ୍ସା ସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ରାଜକୋଷରୁ ଅର୍ଥବ୍ୟୟ କରି ପଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ କରୁଛନ୍ତି । ତେବେ ଆସିକାର ଗ୍ରାମାଞ୍ଚଳ ଗୁଡିକରେ ଥିବା କେତେକ ପ୍ରାଣୀଧନ ସହାୟତା ଗୁଡିକରେ ଆବଶ୍ୟକୀୟ କର୍ମଚାରୀ ନଥିବା ଯୋଗୁଁ ହଜାର ହଜାର ଗାଇଗୋରୁ, ଛେଳି ମେଣ୍ଢା ଆଦି ଗୃହପାଳିତ ପଶୁଙ୍କର ଆବଶ୍ୟକତା ସମୟରେ ଟୀକାକରଣ ବାଧାପ୍ରାପ୍ତ ହେଉଥିବା ବେଳେ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଚିକିତ୍ସା ସେବା ପ୍ରାୟତଃ ଠପ୍ ହୋଇପଡିଥିବା ଅଭିଯୋଗ ହେଉଛି । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା ଓ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଶ ଚୌଧୁରୀ ଆସିକା ପ୍ରାଣୀ ଚିକିତ୍ସାଳୟକୁ ଆସୁଥିବା ଗାଇଗୋରୁଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କୁ ଚିକିତ୍ସା କରିବା ସାଙ୍ଗକୁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଗାଡିରେ ଗାଁ ଗଣ୍ଡାକୁ ବୁଲି ଗାଇଗୋରୁଙ୍କୁ ଚିକିତ୍ସା ସେବା ଯୋଗାଉଥିବା ଦେଖିବାକୁ ମିଳୁଛି । ପ୍ରାଣୀଧନ ନୀରିକ୍ଷକ ସୁଦର୍ଶନ ନାୟକ, ପିୟଜନ କହଁର, ସୁଶାନ୍ତ କୁମାର ଡାକୁଆ, ସସ୍ମିତା ପଣ୍ଡା, ଆଲୋକ କୁମାର ପାତ୍ର, ସ୍ମୃତିରଂଜନ ବିଶ୍ୱାଳ ପ୍ରମୁଖ ନିଜର ଦାୟିତ୍ୱକୁ ସଂପାଦନ କରିବା ସାଙ୍ଗକୁ ଅତିରିକ୍ତ ଦାୟିତ୍ୱରେ ରହି ମଧ୍ୟ ଚିକିତ୍ସାସେବା ଯୋଗାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ପ୍ରାଣୀଧନ ସହାୟତା କେନ୍ଦ୍ର ଗୁଡିକରେ ଖାଲି ପଡିଥିବା ପ୍ରାଣୀଧନ ନିରୀକ୍ଷକ ଓ ଆଟେଣ୍ଡାଣ୍ଟ୍ ପଦବୀ ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


