ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ ପାଠପଢା ପାଇଁ ନାମଲେଖା ଆରମ୍ଭ

ଆସିକା  (ୱାଇଏନ୍‍ଏସ୍‍) : ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଭୋକେସନାଲ୍‍ ସ୍ରୋତରେ ପାଠ ପଢିବା ସକାଶେ ନାମଲେଖା ପ୍ରକ୍ରିୟା ଗୁରବାର ଠାରୁ ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ପ୍ରକାଶିତ ପରେ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଥିବା ନିରଞ୍ଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଟ୍‍ ଅଫ୍‍ ମାର୍କ ଅନୁଯାୟୀ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‍ ପଠାଯାଇସାରିଛି । ଆସନ୍ତା ୨୩ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି । ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇସାରିଥିଲା ବେଳେ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ, ମାଧ୍ୟମିକ ସ୍କୁଲ, ସରକାରୀ ଓ ଅନୁଦାନପ୍ରାପ୍ତ (୪୪୮ ଏବଂ ୬୬୨ ବର୍ଗ) ଉଚ୍ଚ ମାଧ୍ୟମିକ ସ୍କୁଲରେ ଏହି ନାମଲେଖା ସଂପୁର୍ଣ୍ଣ ମାଗଣା କରାଯାଉଥିବା ଜଣାପଡିଛି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‍ ଅଫ୍‍ ମାର୍କ ପ୍ରକାଶିତ ସହ ଇଣ୍ଟିମେସନ୍‍ ଲେଟର୍‍ ଡାଉନ୍‍ଲୋଡ କରିବା ପାଇଁ ଷ୍ଟୁଡେଣ୍ଟ ଲଗିନ୍‍ ହୋଇସାରିଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଗତ ଜୁନ୍‍ ମାସ ୩୦ ତାରିଖରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଶେଷ ହୋଇଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକମାନେ କଟ୍‍ ଅଫ୍‍ ମାର୍କ ସହ ନାମଲେଖାକୁ ଅପେକ୍ଷା କରିଥିଲେ । ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ୨୪ ରୁ ୨୮ ତାରିଖ ଭିତରେ ନାମଲେଖା ହେବ ବୋଲି ଜଣାପଡିଛି । ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ୨୫୬ଟି ଲେଖାଏଁ ସିଟ୍‍ ରହିଥିଲା ବେଳେ ଧନ୍ଦାମୂଳକ ପାଠ୍ୟକ୍ରମରେ ୨୪ଟି ସିଟ୍‍ ରହିଥିବା ଜଣାପଡିଛି । ସେହିଭଳି ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ୨୫୬ଟି ଓ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍‍ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪୮ଟି ସିଟ୍‍ ରହିଥିବା ଜଣାପଡିଛି । ଆସିକା ସରକାରୀ ନିରଂଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ୨୫୬ଟି ସିଟ୍‍ ଓ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍‍ ରହିଥିବା ବେଳେ ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍‍ ରହିଥିବା ବେଳେ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ୯୬ଟି ସିଟ୍‍ ରହିଥିବା ଜଣାପଡିଛି । ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଗୁରବାର ଠାରୁ ଆରମ୍ଭ ହୋଇସାରିଥିଲା ବେଳେ ଆସିକା ଅଞ୍ଚଳରେ ଥିବା ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଚୟନିତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଗହଳଚହଳ ଲାଗି ରହିଥିଲା ବେଳେ ଏହି ପ୍ରକ୍ରିୟାକୁ ସୁରୁଖୁରୁରେ ସଂପାଦିତ କରିବା ପାଇଁ ବିଭିନ୍ନ କଲେଜ ଗୁଡିକ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ