ସଂଗ୍ରାମ–ଅବିନାଶଙ୍କ ନେତୃତ୍ୱରେ ଗର୍ଜିଲା ନଗର ବିଜେପି, ପୌର ଦଖଲ ପାଇଁ ବିଗୁଲ
ଯାଜପୁର(ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ପୌରପାଳିକା ଅଞ୍ଚଳରେ ବିଜେପିର ସାଂଗଠନିକ ରାଜନୀତିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଯାଜପୁର ପୌରପାଳିକାର ୬ ନମ୍ବର ୱାର୍ଡସ୍ଥିତ ଆର ଆର ଆର ଭେନ୍ୟୁରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅବିନାଶ ନାୟକଙ୍କ ନେତୃତ୍ୱରେ ଆୟୋଜିତ ସ୍ୱାଗତ ସମାରୋହରେ ୩୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ଯ୍ୟକର୍ତ୍ତା, ନେତା ଓ ବିଭିନ୍ନ ବର୍ଗର କର୍ମୀ ଯୋଗଦେଇ ବିଜେପି ନେତା ସଂଗ୍ରାମ କେଶରୀ ପାତ୍ରଙ୍କୁ ସ୍ୱାଗତ କରିଥିଲେ।ବିଶେଷକରି ଏହି ବିଶାଳ ସମାଗମ ଯାଜପୁର ନଗର ବିଜେପିର ଆଗାମୀ ରାଜନୀତିକ ଦିଗକୁ ନେଇ ଚର୍ଚ୍ଚାକୁ ତୀବ୍ର କରିଛି। ଦଳର ବିଭିନ୍ନ ବର୍ଗର କର୍ମୀଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ କେବଳ ସ୍ୱାଗତ ସମାରୋହରେ ସୀମିତ ରଖିନଥିବା ବେଳେ ଏହାକୁ ଏକ ପ୍ରକାର ରାଜନୀତିକ ଶକ୍ତି ପ୍ରଦର୍ଶନ ଭାବେ ମଧ୍ୟ ଦେଖାଯାଉଛି। କାର୍ଯ୍ୟକ୍ରମରେ ଯାଜପୁର ନଗର ବିଜେପିର ସାଂଗଠନିକ ଗତିଶୀଳତାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। କିଛି କର୍ମୀଙ୍କ ମତରେ, ଗତ କିଛି ସମୟ ଧରି ନଗର ସଂଗଠନରେ ନେତୃତ୍ୱର ଅଭାବ ଓ କାର୍ଯ୍ୟକ୍ରମର ନିଷ୍କ୍ରିୟତା ଯୋଗୁଁ ଅନେକ କର୍ମୀ ନିଜକୁ ମୁରବିଶୂନ୍ୟ ଭଳି ଅନୁଭବ କରୁଥିଲେ। ତେବେ ଏବେ ନୂଆ ନେତୃତ୍ୱ ଓ ସକ୍ରିୟ ସାଂଗଠନିକ ପ୍ରୟାସ ମାଧ୍ୟମରେ ନଗର ବିଜେପିକୁ ଅଧିକ ସୁଦୃଢ଼ କରିବାର ଆଶା କର୍ମୀଙ୍କ ମଧ୍ୟରେ ଦେଖାଦେଇଛି। ଏହି ଅବସରରେ ସଂଗ୍ରାମ କେଶରୀ ପାତ୍ର ନିଜ ଅଭିଭାଷଣରେ ଦଳୀୟ କର୍ମୀଙ୍କୁ ଏକଜୁଟ ହୋଇ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ଯାଜପୁର ନଗରରେ ବିଜେପିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବେ ଗଢ଼ି ତୋଳିବା ପାଇଁ କର୍ମୀଙ୍କ ସହ ସେ ସବୁବେଳେ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଅନ୍ୟପଟେ, ଯାଜପୁରର ରାଜନୀତିରେ ଦୀର୍ଘ ସମୟ ଧରି ପ୍ରଭାବଶାଳୀ ରହିଥିବା ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ରାଜନୀତିକ ପ୍ରଭାବକୁ ନେଇ ମଧ୍ୟ ସଂଗ୍ରାମ ପାତ୍ର ନିଜ ଅଭିଭାଷଣରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲେ। ଯେତେବେଳେ ଅନେକ ନେତା ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ରାଜନୀତିକ ଭାବେ ମୁହାଁମୁହିଁ ହେବାକୁ ସାହସ ଜୁଟାଇ ପାରୁନଥିଲେ, ସେତେବେଳେ ସଂଗ୍ରାମ ପାତ୍ର ଖୋଲାଖୋଲି ରାଜନୀତିକ ଲଢ଼େଇର ଆହ୍ୱାନ ଦେଇଥିଲେ ବୋଲି କର୍ମୀମାନେ କହିଛନ୍ତି। ସଂଗ୍ରାମ ପାତ୍ରଙ୍କ ଏହି ଆକ୍ରମଣାତ୍ମକ ରାଜନୀତିକ ଆଭିମୁଖ୍ୟ ସହ ଅବିନାଶ ନାୟକଙ୍କ ସାଂଗଠନିକ ନେତୃତ୍ୱର ସମନ୍ୱୟ ଯାଜପୁର ନଗର ବିଜେପିକୁ ଆଗାମୀ ଦିନରେ ଏକ ନୂଆ ଦିଗ ଦେଇପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ବିଶେଷକରି ଆଗାମୀ ପୌର ରାଜନୀତିକୁ ନେଇ ଏହି ନୂଆ ସମୀକରଣ ଗୁରୁତ୍ୱ ବହନ କରୁଛି। ଯାଜପୁର ପୌରପାଳିକାରେ ବିଜେପି ନିଜର ସଂଗଠନକୁ ତଳସ୍ତରରୁ ମଜବୁତ କରିପାରିଲେ ଆଗାମୀ ଦିନରେ ଶାସନ ଦଖଲ ପାଇଁ ଦଳ ଦୃଢ଼ ଦାବିଦାର ହୋଇପାରେ ବୋଲି ସମାବେଶରେ ଉପସ୍ଥିତ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।୩୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ଉପସ୍ଥିତି, ନେତୃତ୍ୱ ପ୍ରତି ସମର୍ଥନ ଓ ଆଗାମୀ ଦିନରେ ସଂଗଠନକୁ ଅଧିକ ସକ୍ରିୟ କରିବାର ଆହ୍ୱାନ—ଏସବୁକୁ ମିଶାଇ ଦେଖିଲେ ଯାଜପୁର ନଗର ବିଜେପିରେ ଏକ ନୂଆ ରାଜନୀତିକ ଅଧ୍ୟାୟର ସଙ୍କେତ ମିଳୁଛି। ଏବେ ଏହି ନୂଆ ନେତୃତ୍ୱ କେତେଦୂର ତୃଣମୂଳସ୍ତରରେ ସଂଗଠନକୁ ସକ୍ରିୟ କରିପାରୁଛି ଏବଂ ପୌର ରାଜନୀତିରେ ବିଜେପି କେତେ ଦୃଢ଼ ଚ୍ୟାଲେଞ୍ଜ ଦେଇପାରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।


