ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ସମିତି (ଓସାଟ) ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଅତିରିକ୍ତ ବିଡ଼ିଓ ବୈଜୟନ୍ତି ମୁଣ୍ଡା ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ସୁନୀଲ କେରକେଟା ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର,ଜିଲା ସାମାଜିକ ସମୀକ୍ଷକ ବାବୁଲା ବିଶୋୟୀ,ବ୍ଲକ ହିସାବ ରକ୍ଷକ ସଞ୍ଜିତ ସୁମନ,ସାନଖେମୁଣ୍ଡି ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ. ଘନଶ୍ୟାମ ଡାକୁଆ ଙ୍କ ଉପସ୍ଥିତି ରେ ସାମାଜିକ ସମୀକ୍ଷା ଓ ଜନ ଅଭିଯୋଗ ଶୁଣାଣି ହୋଇଥିଲା ।ସାନଖେମୁଣ୍ଡି ବ୍ଲକ ରେ ୨୦୨୫-୨୬ ଆର୍ଥିକ ବର୍ଷ ଅକ୍ଟୋବର ୧ ରୁ ମାର୍ଚ୍ଚ ୩୧ ସୁଦ୍ଧା ଏମଜିଏନଆରଜିଏସ ରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ କୁମାର ଗୌଡ଼ ପୂର୍ବ ବିବରଣୀ ପାଠ କରିଥିଲେ। ପଞ୍ଚାୟତ ଗୁଡିକରେ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧି, ଗ୍ରାମବାସୀ, ଜବକାର୍ଡ ହିତାଧିକାରୀ ଙ୍କୁ ନେଇ ଗ୍ରାମସଭା ଆଦୌ କରାଯାଉନଥିବା ନେଇ ଜିଲା ସାମାଜିକ ସମୀକ୍ଷକ ଶିବିରରେ ପ୍ରକାଶ କରିଥିଲେ।ଆଗାମୀ ଦିନରେ ଏଭଳି ବେନିୟମ କାର୍ଯ୍ୟ ନକରିବା ପାଇଁ ଉପସ୍ଥିତ କ୍ଷେତ୍ର କର୍ମଚାରୀ ମାନଙ୍କୁ ତାଗିଦ କରିଥିଲେ।ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୮ ଲକ୍ଷ ୩୦ ହଜାର ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ସମୁଦାୟ ୧୦ ଲକ୍ଷ ୧୬ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଅଧିନ ଗାଁ ମାନଙ୍କରେ ମୋଟ ୨୩ ହଜାର ୨୭୯ ଜଣ ହିତାଧିକାରୀ ଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୯ ହଜାର ୨୨୨ ଜବକାର୍ଡଧାରୀ ଙ୍କୁ ଶ୍ରମ କାର୍ଯ୍ୟ ରେ ନିୟୋଜିତ କରାଯାଇଛି। ଗତ ଆର୍ଥିକ ବର୍ଷ ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ୧୨୨ ପ୍ରତିଶତ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସେହିପରି ୧୦୫୨ଜଣ ଶ୍ରମିକଙ୍କୁ ୧୦୦ ଦିନ କାମ ଦିଆଯାଇଥିବା ନେଇ ଜନଶୁଣାଣି ରେ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ବ୍ଲକ ଅଧିନ ୨୬ ପଞ୍ଚାୟତ ରେ ୧୫୩୫ ଟି ସାମୁହିକ ଏବଂ ବ୍ୟକ୍ତିଗତ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ ୫୧୭ ଗୋଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦିଆଯାଇଛି। ଜନ ଶୁଣାଣି ଶିବିରରେ ବହୁ ସଂଖ୍ୟକ ଜିଲା ପରିଷଦ ସଦସ୍ୟ, ସରପଞ୍ଚ,ସମିତି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ବ୍ଲକ ହିସାବ ରକ୍ଷକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶିକା ଇପସିତା ମିଶ୍ର, ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସମସ୍ତଙ୍କ ସହଯୋଗ ଓ ଭାଗିଦାରୀ ରେ ଆଗାମୀ ଦିନରେ ଭିଭିଜିରାମଜି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ଶିବିରରେ ମତ ପ୍ରକାଶ ପାଇଥିଲା। ବହୁ ସଂଖ୍ୟକ ବ୍ଲକ କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଡିଇଓ, ଜିଆରଏସ, ବିଏଫଟି ଓ ବିଭିନ୍ନ ବିଭାଗୀୟ କର୍ମଚାରୀ ଙ୍କ ସମେତ ଉପସ୍ଥିତ ପଞ୍ଚାୟତ ଜନ ପ୍ରତିନିଧି ବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


