ପନିପରିବା ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ବୈଠକ
ଛତ୍ରପୁର, ୨୫/୮: ଟ୍ରାଫିକ ସମସ୍ୟା ଦୂର କରିବା ସହ ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ପନିପରିବା ବ୍ୟବସାୟୀମାନଙ୍କୁ ମାର୍କେଟ ପରିସରରେ ବ୍ୟବସାୟ କରିବାକୁ ଅନୁରୋଧ କରାଯାଇଥିଲା। ଗତ ୨୦ ତାରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ବସୁଥିବା ପନିପରିବା ବ୍ୟବସାୟୀଙ୍କୁ ଏନେଇ ସଚେତନ କରାଯାଇଥିଲା। ନିର୍ଦ୍ଦେଶ ଅବମାନନା କଲେ ଆବଣ୍ଟିତ ପିଣ୍ଡି ବାତିଲ କରାଯିବ ବୋଲି ମଧ୍ୟ ପୌର ପରିଷଦ ପକ୍ଷରୁ କୁହାଯାଇଥିଲା। ଏହାକୁ ବିରୋଧ କରି ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ମଙ୍ଗଳବାର ପନିପରିବା ଦୋକାନ ବନ୍ଦ ଡାକରା ଦିଆଯାଇଥିଲା। ବ୍ୟବସାୟୀଙ୍କ ମୌଳିକ ସମସ୍ୟାର ସମାଧାନ ସହ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ପନିପରିବା ମାର୍କେଟ ପରିସରରେ ଉଠାଦୋକାନୀ ସଂଘର କର୍ମକର୍ତ୍ତା ଓ ବ୍ୟବସାୟୀମାନଙ୍କ ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ହୋଇଥିଲା। ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ ବ୍ୟବସାୟୀମାନଙ୍କୁ ରାସ୍ତା ଉପରେ ନ ବସି ମାର୍କେଟ ଭିତରେ ବସିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକୁ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଛତ୍ରପୁର ଉଠାଦୋକାନୀ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ପନିପରିବା ବ୍ୟବସାୟୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପସ୍ଥାପନ କରିଥିଲେ। ଏଥିସହ ଟାଉନ ଭେଣ୍ଡିଙ୍ଗ ଜୋନ୍ କମିଟିକୁ କାର୍ଯ୍ୟକାରୀ କରିବା ନେଇ ବିଧାୟକ ଓ ପୌର ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ବିଷୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡ଼ିଛି। ବୈଠକରେ ଉଠାଦୋକାନୀ ସଂଘର କାର୍ଯ୍ୟକାରୀ ସଭାପତି ଇଜୁ ଆମିନ ଖାନ୍, କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ସମେତ ପୌର ପରିଷଦର ବହୁ କାଉନସିଲର, ଅଧିକାରୀ ଓ କର୍ମଚାରୀ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


