ମଦ ଦୋକାନକୁ ବିରୋଧ କରି ମହିଳାଙ୍କ ବିକ୍ଷୋଭ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ହୋଇଥିବା ଏକ ମଦଦୋକାନ ବନ୍ଦ ଦାବିରେ ମହିଳାମାନେ ବିକ୍ଷୋଭ କରିଛନ୍ତି । ଜମଧର ଗ୍ରାମପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ଦୋକାନ ଆଗରେ ଧାରଣାରେ ବସିବା ସହ ନାରାବାଜି କରିଥିଲେ । ନୂଆକରି ଲାଇସେନ୍ସ ପାଇଥିବା ଏହି ଦୋକାନ ଧାର୍ଯ୍ୟ ସ୍ଥାନରେ ନହୋଇ ଗଜଲଷ୍ମୀ ପୂଜା ଘର ନିକଟରେ କରାଯାଇଛି । ଅନ୍ୟପକ୍ଷରେ ଦୁହୁରିଆ ଫାଣ୍ଡିର ଠିକ୍ ପଛ ପଟରେ ରହିଛି ଏହି ମଦ ଦୋକାନ । କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫୩ ନମ୍ୱର ଜାତୀୟ ରାଜପଥକୁ ଲାଗିକରି ରହିଛି ଏହି ମଦଦୋକାନ । ଏହା ସମସ୍ତ ଆଇନକୁ ଉଲ୍ଲଂଘନ କରି ଖୋଲା ଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏମିତିକି ପାଣ୍ଡିରି ଗାଁର ପ୍ରବେଶ ପଥରେ ଏହି ମଦ ଦୋକାନ ହେବା ଦ୍ୱାରା ଗାଁ ଲୋକେ ନାନା ସମସ୍ୟାରେ ପଡିବେ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ମଦ୍ୟପମାନେ ମଦ କିଣିନେଇ ପାଣ୍ଡିରି ଗାଁ ର ପ୍ରବେଶ ଦ୍ୱାରରେ ଥିବା କଲଭର୍ଟ ଉପରେ ବସି ଦିନ ଦ୍ୱିପହରରେ ମଦ୍ୟପାନ କରୁଛନ୍ତି। ଏହାସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ଏହି ରାସ୍ତା ଦେଇ ଗ୍ରାମର ସ୍କୁଲ ପିଲା, ଗ୍ରାମବାସୀ ଯାତାୟତ କରିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମହିଳାମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ସରପଞ୍ଚ ରାଜକିଶୋର ଖୁଣ୍ଟିଆ ଏବଂ ପଞ୍ଚାୟତବାସୀ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି । ଏମିତିକି ଅବକାରୀ ବିଭାଗ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରୁ ନ ଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଲେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।


