ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ପ୍ରଧାନ ଶିକ୍ଷକ: ହାଜର ହେବାକୁ ଡରୁଛନ୍ତି ମେଡିକାଲ ବୋର୍ଡରେ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨ମାସରୁ ଉର୍ଦ୍ଧ୍ୱ ହେବ ଛୁଟିରେ ରହିଛନ୍ତି ପ୍ରଧାନଶିକ୍ଷକ। କିନ୍ତୁ ମେଡିକାଲ ବୋର୍ଡରେ ହାଜର ହେବାକୁ ଡରୁଛନ୍ତି। ତେଣୁ ବାସ୍ତବରେ ତାଙ୍କ ଦେହ ଅସୁସ୍ଥ ହୋଇଛି ନା କୈାଣସି ମନ୍ଦ ଉଦେଶ୍ୟ ରଖି କାର୍ଯ୍ୟରେ ଯୋଗଦେଉ ନାହାନ୍ତି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ତୁରନ୍ତ ଏଦିଗରେ ଜବାବ ରଖିବା ପାଇଁ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ମଣ୍ଡଳ ଶିକ୍ଷାଧିକାରୀ ନୋଟିସ ଜାରି କରିଛନ୍ତି। କେନ୍ଦ୍ରାପଡା ବ୍ଲକର ଏକ ବ୍ଲକଗ୍ରାଣ୍ଟଉଚ୍ଚପ୍ରାଥମିକ(ଏମଇ) ବିଦ୍ୟାଳୟର ଏକମାତ୍ର ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବାର ଦେଢମାସ ବିତିଯାଇଥିଲେବି ସେ ଦାୟିତ୍ୱ ହସ୍ତାନ୍ତର କରିପାରୁନାହାନ୍ତି। କାରଣ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ନନେବା ଆଳରେ ଛୁଟି ନେଇ ବୁଲୁଥିବା ଦେଖାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ବ୍ଲକ ଅଧିନ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁଯାଇ ନରିଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି ନରିଲୋ ବ୍ଲକଗ୍ରାଣ୍ଟ ଉଚ୍ଚପ୍ରାଥମିକ(ଏମଇ)ବିଦ୍ୟାଳୟ। ସେହି ବିଦ୍ୟାଳୟର ଏକମାତ୍ର ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରେଶ୍ମିନୀ ରାଉତ ଗତ ମଇମାସ ୩୧ତାରିଖରେ ଚାକିରିରୁ ଅବସରଗ୍ରହଣ କରିଛନ୍ତି। ଏକମାତ୍ର ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ ପରେ ସେହି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟକୁ ଏକା କ୍ୟାମ୍ପସ ଭିତରେ ଥିବା ନରିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହିତ ସଂଲଗ୍ନ କରିଦିଆଯାଇଛି। ତେଣୁ ନରିଲୋ ବ୍ଲକଗ୍ରାଣ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦାୟିତ୍ୱ ଶ୍ରୀମତୀ ରାଉତଙ୍କ ଠାରୁ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ନରିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେବେଠାରୁ ଛୁଟିରେ ଅଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପାଠପଢା ସହ ପ୍ରଶାସନିକ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି। ତେଣୁ ବ୍ଲକଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କୁ ମେଡିକାଲ ବୋର୍ଡରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ମେଡିକାଲ ବୋର୍ଡରେ ହାଜର ହେବାକୁ ଏବେ ଭୟ କରୁଛନ୍ତି। କାରଣ ପ୍ରକୃତରେ ସେ ସୁସ୍ଥ ଅଛନ୍ତି ଓ ବୁଲୁଥିବାର ଗ୍ରାମବାସୀ ଏବଂ ଛାତ୍ରାଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପାଠପଢାରେ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରଧାନଶିକ୍ଷକ ଶ୍ରୀ ଜେନା ଦୁଇମାସରୁ ଉର୍ଦ୍ଧ୍ୱ ହେବ ଛୁଟିରେ ରହିଥିଲେ ମଧ୍ୟ କୈାଣସି ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି। ଅପରପକ୍ଷରେ ଏହି ବିଦ୍ୟାଳୟରେ ଶ୍ରୀ ଜେନା ୨୩ବର୍ଷ ହେବ ରହିଲେଣି। ସେ ବଦଳି ହେବାକୁ ଚାହୁଁନଥିବାରୁ ଏଭଳି ନାଟକ କରୁଥିବା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି।


