ପୁରୁଣା ପାଇପ ରଡ଼ ନିଲାମ ନେଇ ବିବାଦ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପୁରୁଣା ପାଇପ ରଡ଼ ନିଲାମ ପାଇଁ ଲୋକେ ଭିଡାଭିଡି ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ଥିବା ପୁରୁଣା ନଳକୂପ ଯନ୍ତ୍ରାଂଶ ଗୁଡିକର ନିଲାମ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ପ୍ରବଳ ବର୍ଷା ସତ୍ୱେ ଶତାଧିକ ବ୍ୟକ୍ତି ନିଲାମ ପ୍ରକ୍ରିୟାରେ ଭାଗ ନେବାପାଇଁ ବିଭିନ୍ନ ଅଞ୍ଚଳରୁ ଆସି ଭିଡ଼ ଜମାଇଥିଲେ। ଏପରିକି ଭଦ୍ରକ, ବନ୍ତ, ଆଗରପଡା ଅଞ୍ଚଳରୁ ମଧ୍ୟ ଲୋକମାନେ ଆସି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ। ସରକାରୀ ଦର କିଲୋ ପ୍ରତି ୨୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଚାରିଗୁଣରୁ ଅଧିକ ଦରରେ ନିଲାମ ଡାକିଥିଲେ। ପୁରୁଣା ଲୁହା ପାଇପ, ରଡ଼ ଆଦି ୧୦୨ ଟଙ୍କାରେ ନିଲାମ ହୋଇଥିବା ବେଳେ ପ୍ଲାଷ୍ଟିକ ପାଇପ ଗୁଡିକ ୧୪ ଟଙ୍କା ଦରରେ ନିଲାମ ହୋଇଥିଲା। ଲୋକଙ୍କ ଭିଡକୁ ଦେଖି ଶାନ୍ତି ଶୃଙ୍ଖଳାର ସହ ନିଲାମ ପ୍ରକ୍ରିୟା ସମାପନ ପାଇଁ ପୋଲିସର ସହାୟତା ନିଆଯାଇଥିଲା। ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ, କନିଷ୍ଠ ଯନ୍ତ୍ରୀ ନିଲ କମଳ ରାଉତ, ଗୋପାଳ ବେହେରା, ପିଇଓ ଶରତ କୁମାର ବେଜ ପ୍ରମୁଖ ଉପସ୍ଥିତ ଥିଲେ।


