ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ: ବାଚସ୍ପତିଙ୍କ ଜବାବ ଲୋଡ଼ିଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): ଦଳୀୟ ହୁଇପ ନ ମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗକୁ ନେଇ ଦାୟର ପିଟିସନ ଖାରଜ ନିର୍ଦ୍ଦେଶ ବିରୋଧରେ ବିଜେଡି ତରଫରୁ ରୁଜୁ ଆଉ ତିନୋଟି ଆବେଦନର ହାଇକୋର୍ଟ ଶୁଣାଣି କରି ବିଧାନସଭା ବାଚସ୍ପତିଙ୍କ ଜବାବ ଲୋଡ଼ିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ବିଧାନସଭା ସଚିବ, ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ ଓ ସନାତନ ମହାକୁଡ଼ଙ୍କୁ ହାଇକୋର୍ଟ କହିଛନ୍ତି।ଆବେଦନ ଗୁଡ଼ିକର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହି ପ୍ରସଂଗରେ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ। ସେପ୍ଟେମ୍ବର ୨୯ରେ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି ହେବ। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେଡି ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ଦାୟର ତିନୋଟି ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ ଓ ସନାତନ ମହାକୁଡ଼ଙ୍କ ସଭ୍ୟପଦ ରଦ୍ଦ ସଂପର୍କିତ ବିଜେଡିର ପିଟିସନ ଖାରଜ କରି ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ବିଜେଡି ପକ୍ଷରୁ ଏହି ତିନି ମାମଲା ଦାୟର କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ନେଇ ଦାୟର ପୃଥକ ଆବେଦନ ଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେଡି ମୁଖ୍ୟ ସ‌ଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି। ପୂର୍ବରୁ ଗତ ୧୮ ତାରିଖରେ ବିଧାୟକ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ବିରୋଧରେ ବିଜେଡି ପକ୍ଷରୁ ଦାୟର ଦୁଇ ମାମଲାର ହାଇ‌‌କୋର୍ଟର ଶୁଣାଣି ହୋଇଥିଲା। ବିଜେଡିର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଦଳର ହ୍ବିପ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ପିଟିିସନ ଦାଖଲ କରାଯାଇଥିଲା। ଏହି ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗକୁ ନେଇ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା। କିନ୍ତୁ ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ଏପରି ପିଟିସନ ଖାରଜ କରାଯାଇଥିଲା।ଖାରଜ ନିର୍ଦ୍ଦେଶରେ ଉଲ୍ଲେଖ ଥିଲା ଯେ ସଭ୍ୟପଦ ରଦ୍ଦ ପାଇଁ ରହିଥିବା ନିୟମ ୬(୬) ଓ ୬(୭) ଅନୁସାରେ ଏହି ପିଟିସନ ନଥିଲା। ଆଇନଗତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନଥିଲା। ପିଟିସନ ସପକ୍ଷରେ ଆବଶ୍ୟକ ସତ୍ୟପାଠ ଦାଖଲ କରାଯାଇ ନଥିଲା। ଏଥି ସହିତ ପିଟିିସନ ସହିତ ସଂଲଗ୍ନ ନଥିପତ୍ର ଯଥାବିଧି ଯାଞ୍ଚ ଓ ସ୍ବାକ୍ଷରିତ ହୋଇ ନଥିଲା ‌ବୋଲି ଖାରଜ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନ କରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ସଂପର୍କିତ ପିଟିସନ ଖାରଜ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ପିଟିସନରେ ରହିଥିବା ପ୍ରକ୍ରିୟାଗତ ସାମାନ୍ୟ ତ୍ରୁଟି ସୁଧାରିବାକୁ ଆବେଦନକାରୀଙ୍କୁ ସୁଯୋଗ ଦିଆଯିବା ଉଚିତ ଥିଲା। ଏପରି ନ କରି ବୈଷୟିକ ଆଧାରରେ ପିଟିସନକୁ ଖାରଜ କରାଯିବା ଗ୍ରହଣୀୟ ନୁହେଁ। ଖାରଜ ନିର୍ଦ୍ଦେଶ ସଂପର୍କିତ ଓଡ଼ିଶା ବିଧାନସଭା ସଚିବାଳୟର ୨୦୨୬, ଜୁନ ୧୯ର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ନିବେଦନ କରାଯାଇଛି। ଏଥି ସହିତ ଏହି ପ୍ରସଂଗରେ ବିଧାନସଭା ବାଚସ୍ପତି ସାନି ଶୁଣାଣି କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ଓ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ