କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି

କଟକ, (ଓ୍ବାଇଏନଏସ): ଲଗାଣ ବର୍ଷାରେ ବେହାଲ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସର। ଗତ କିଛି ସମୟ ଧରି ଲଗାତାର ବର୍ଷା ହେବା ଯୋଗୁଁ ହସ୍ପିଟାଲ ପରିସରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଏଥିଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ହସ୍ପିଟାଲ କର୍ମଚାରୀମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା କର୍କଟ ରୋଗୀମାନଙ୍କୁ ଏହି ଜଳବନ୍ଦୀ ସ୍ଥିତି ଅଧିକ ଅସୁବିଧାରେ ପକାଉଛି। ପାଣି ଭିତରେ ଯାତାୟାତ କରି ହସ୍ପିଟାଲ ଭିତରକୁ ଯିବାକୁ ପଡ଼ୁଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ବଢ଼ିଛି। ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀକାଳୀନ ଯାନବାହନର ଯାତାୟାତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ହସ୍ପିଟାଲ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି। ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଦିଗରେ କଟକ ମହାନଗର ନିଗମ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏକ ଗୁରୁତ୍ୱପୂର୍ଣ୍ଣ କର୍କଟ ଚିକିତ୍ସା କେନ୍ଦ୍ରର ପରିସରରେ ପ୍ରତିବର୍ଷ ବର୍ଷା ଦିନରେ ଏଭଳି ଜଳବନ୍ଦୀ ସ୍ଥିତି ଦେଖାଦେବା ନେଇ ରୋଗୀ ଓ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଅସ୍ଥାୟୀ ଭାବେ ପାଣି ନିଷ୍କାସନ କରିବା ବଦଳରେ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ସହ ନିୟମିତ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦାବି ହେଉଛି। ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଜରୁରୀ ଚିକିତ୍ସାକୁ ଦୃଷ୍ଟିରେ ରଖି ହସ୍ପିଟାଲ ପରିସରରୁ ତୁରନ୍ତ ଜମିଥିବା ପାଣି ନିଷ୍କାସନ କରିବା ସହ ଆଗାମୀ ଦିନରେ ଏଭଳି ସ୍ଥିତି ଯେପରି ପୁଣି ନଉପୁଜେ, ସେଥିପାଇଁ ସ୍ଥାୟୀ ସମାଧାନ କରିବାକୁ ଦାବି ଜୋର ଧରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ