ପ୍ରଥମ ଥର ପାଇଁ କଟକରେ ଦଶହରା ଭସାଣିର ହେବ ସିଧା ପ୍ରସାରଣ
କଟକ, (ଓ୍ବାଇଏନଏସ): ପ୍ରଥମ ଥର ପାଇଁ କଟକ ସହରର ଦଶହରା ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ କରାଯିବ। ଚଳିତ ବର୍ଷ ଦୁର୍ଗାପୂଜା ପରେ ହେବାକୁ ଥିବା ମୂର୍ତ୍ତି ଭସାଣି ଶୋଭାଯାତ୍ରାକୁ ପ୍ରଥମ ଥର ପାଇଁ ଲାଇଭ୍ ଷ୍ଟ୍ରିମିଂ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସହରର ୪ଟି ସ୍ଥାନରୁ ଦଶହରା ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯିବ। ଏହି ସିଧା ପ୍ରସାରଣର ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗ (ଆଇଆଣ୍ଡ୍ପିଆର୍)କୁ ଦିଆଯିବ। ଆଜି ନେତାଜୀ ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଦଶହରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। ବିଶେଷକରି ବରିଷ୍ଠ ନାଗରିକମାନେ ଘରେ ବସି ଦଶହରା ଭସାଣି ଶୋଭାଯାତ୍ରା ଦେଖିପାରିବେ, ସେଥିପାଇଁ ଏହି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ବୈଠକରେ କଟକ ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ସହରର ମୌଳିକ ସମସ୍ୟା ନେଇ ଅଭିଯୋଗ ଉଠାଇଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇସାରିଥିଲେ ମଧ୍ୟ ସହରର ରାସ୍ତାଘାଟ, ପରିମଳ ବ୍ୟବସ୍ଥା ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାରେ ଆଶାନୁରୂପ ସୁଧାର ହୋଇନଥିବା ପୂଜା କମିଟିଗୁଡ଼ିକର କର୍ମକର୍ତ୍ତାମାନେ କହିଥିଲେ। ସହରର ବିଭିନ୍ନ ଅଞ୍ଚଳରେ ରାସ୍ତାର ଅବସ୍ଥା ଏବେ ବି ଦୟନୀୟ ରହିଥିବା ନେଇ ପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ବିଭିନ୍ନ ପୂଜା କମିଟି ପକ୍ଷରୁ ଉତ୍ସବ ପାଇଁ ଲାଇସେନ୍ସ ଏବଂ ଏନ୍ଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ନିମନ୍ତେ ଦାଖଲ କରାଯାଇଥିବା ଆବେଦନର ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାର ସମୟସୀମା ବୃଦ୍ଧି କରିବାକୁ ମଧ୍ୟ ଦାବି କରାଯାଇଥିଲା।ପୂଜା କମିଟି ଗୁଡ଼ିକର ଦାବିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଆବଶ୍ୟକ ପ୍ରକ୍ରିୟା ପାଇଁ ସମୟସୀମା ବଢ଼ାଯିବା ନେଇ ସହମତି ପ୍ରକାଶ କରାଯାଇଥିଲା। ସେହିପରି କଟକବାସୀଙ୍କ ମୌଳିକ ସୁବିଧା ସହ ଜଡ଼ିତ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଶ୍ୱାସନ ଦେଇଛନ୍ତି। ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ପ୍ରବେଶ ପଥରେ ସ୍ୱାଗତ ତୋରଣ ମଧ୍ୟ ନିର୍ମାଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।


