ଆଜି ବିଶ୍ୱ ସର୍ପ ଦିବସ
ଆସିକା (ୱାଇଏନ୍ଏସ୍): ସାପ ମାନଙ୍କ ପ୍ରତି ଥିବା ଭୟ ଓ ଅନ୍ଧବିଶ୍ୱାସକୁ ଦୂର କରିବା ଏବଂ ସେମାନଙ୍କ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୧୬ ତାରିଖରେ ବିଶ୍ୱ ସର୍ପ ଦିବସ ପାଳନ କରାଯାଇଆସୁଛି । ସାପମାନଙ୍କୁ ନ ମାରି ଉଦ୍ଧାର କରି ସେମ।।ନଙ୍କୁ ସୁରକ୍ଷିତ ଜଙ୍ଗଲରେ ଛାଡିବା ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ସଚେତନ ହେବାକୁ ଆସିକା ପୌର ପରିଷଦ ଅଧୀନସ୍ଥ ୧୬ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମର ସାପ ସୁରକ୍ଷାକାରୀ ବାଲାଜୀ ସ୍ୱାଇଁ ଆହ୍ୱାନ କରିଥିବା ଦେଖିବାକୁ ମିଳୁଛି । ସାପର ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରକାର ଭୟ ତଥା ଛନକା ପଶିଯାଇଥାଏ । ସାଧାରଣତଃ ଅଧିକାଂଶ ସାପ ବିଷଧର ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆବଶ୍ୟକତା ଠାରୁ ଅଧିକ ଭୟ ରହିଆସିଛି । ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମନରେ ଭୟ, ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣାକୁ ଦୂରେଇବା ପାଇଁ ଜୁଲାଇ ମାସ ୧୬ ତାରିଖରେ ବିଶ୍ୱ ସର୍ପ ଦିବସ ପାଳନ କରାଯାଇଥାଏ । ସାପ କାମୁଡାର ଚିକିତ୍ସା କ୍ଷେତ୍ରରେ ହେଉ ଅବା ସାପକୁ ନେଇ ବିଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଯାହାକି ଧିରେ ଧିରେ ଅଧିକାଂଶ ଲୋକଙ୍କ ମନରେ ନାନା ପ୍ରକାର ଭ୍ରାନ୍ତ ଧାରଣା ଜନ୍ମାଉଛି । ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ସମୟରେ ସାପ କାମୁଡାରେ ବହୁ ଲୋକଙ୍କ ଜୀବନ ହାନୀ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ସାପକୁ ଦେଖିବା ମାତ୍ରେ ମାରି ଦିଆଯାଉଥିବା ଜଣାପଡିଛି । ବିଶେଷକରି ଘରୁ କିମ୍ବା ଆଖପାଖ ଅଞ୍ଚଳରୁ ସାପଟିଏ ବାହାରିଲେ ତାକୁ ବିଭିନ୍ନ ସମୟରେ ବହୁ ବ୍ୟକ୍ତି ବାଡେଇ ବାଡେଇ ମାରି ଦେଉଥିବା ଚର୍ଚ୍ଚା ହେଉଛି । ସାପଟି ବିଷଧର ସାପ କି ନୁହେଁ ତାହା ବି କେହି ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ସାପକୁ ସୁରକ୍ଷିତ ଭାବେ ଧରିବା ଦିଗରେ ପଦକ୍ଷେପ ନେବା ଏବଂ ସେମାନଙ୍କ ବିଚରଣ ସ୍ଥଳରେ ଛାଡିଲେ ଏହା ଏକ ମହାନ୍ କାର୍ଯ୍ୟ ହୋଇଥାଏ । ସାପ କାମୁଡିଲେ ବିଭିନ୍ନ ସମୟରେ ବହୁତ ଲୋଙ୍କ ଜୀବନ ଅକାଳରେ ଚାଲିଯାଉଛି । ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହେଉ କିମ୍ବା ଡାକ୍ତରୀ ଚିକିତ୍ସାରେ ବିଶ୍ୱାସ ନକରି ଗୁଣିଗାରେଡି ଓ ଝାଡଫୁଙ୍କ ଉପରେ ବିଶ୍ୱାସ କରିବା ଫଳରେ ବହୁ ବ୍ୟକ୍ତି ସାପ କାମୁଡାରେ ମୃତ୍ୟୁବରଣ କରୁଥିବା ଜଣାପଡିଛି । ଅଧିକାଂଶ ଲୋକଙ୍କୁ ପ୍ରାୟତଃ ରାତିରେ ଶୋଇବା ସମୟରେ ସାପ କାମୁଡିଥାଏ । ଫଳରେ ଶରୀରରେ ବିଷକ୍ରିୟା ଯୋଗୁଁ କେତେକ ଲୋକଙ୍କ ଜୀବନ ବିଭିନ୍ନ ସମୟରେ ଚାଲିଯାଉଥିବା ନଜିର୍ ରହିଛି । ତେଣୁ ସଦାସର୍ବଦା ସାପଙ୍କ ପ୍ରତି ସତର୍କ ରହିବା ନିତାନ୍ତ ଆବଶ୍ୟକ । ବିଶେଷକରି ସାପ କାମୁଡିବା ଜାଣିବା ମାତ୍ରେ ଭୟଭୀତ ନହୋଇ ଏବଂ ଆଦୌ ସମୟ ନଷ୍ଟ ନ କରି ତୁରନ୍ତ ସାପ କାମୁଡାରେ ଶୀକାର ହୋଇଥିବା ରୋଗୀଙ୍କୁ ଚିକିତ୍ସା ଲାଗି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲେ ସୁସ୍ଥ ହେବା ନିଶ୍ଚିତ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସାପ କାମୁଡିବା ପରେ ବହୁ ବ୍ୟକ୍ତିଙ୍କ ମଧ୍ୟରେ ସଚେତନତା ସାଙ୍ଗକୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି, ଝାଡଫୁଙ୍କ, ମନ୍ଦିରରେ ପୂଜାପାଠ କରି ସମୟ ନଷ୍ଟ ହେଉଥିବା ଯୋଗୁଁ ବହୁ ବ୍ୟକ୍ତିଙ୍କ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ସର୍ପ ସୁରକ୍ଷାକାରୀ ବାଲାଜୀ ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ ବିଷଧର ସର୍ପ କାମୁଡିବାର ପ୍ରଥମ ଦୁଇ ଘଣ୍ଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ସାପ କାମୁଡା ଏକ ଆକସ୍ମିକ ଘଟଣା ହୋଇଥିବା ଯୋଗୁଁ ସାପ କାମୁଡାର ଚିକିତ୍ସା ସଂପର୍କରେ ଉପଯୁକ୍ତ ସଚେତନତା ଅଭାବରୁ ଅଧିକାଂଶ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଉଛି । ତେଣୁ ସାପ କାମୁଡାରେ ଶୀକାର ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ଗୁଣିଗାରେଡି, ଝାଡଫୁଙ୍କ ଓ ମନ୍ଦିରରେ ପୂଜାପାଠ ନକରି ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହେବାକୁ ଲୋକଙ୍କୁ ବିଶ୍ୱ ସର୍ପ ଦିବସ ପାଳନ ଅବସରରେ ପରାମର୍ଶ ଦେଉଥିବା ଜଣାପଡିଛି ।


