ଲୋକ ଦେଖାଣିଆ ଡ୍ରଗ୍ସ ବିଭାଗର ଯାଞ୍ଚ କାର୍ଯ୍ୟାନୁଷ୍ଠାନ ଶୂନ ଅଭିଯୋଗ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଚଢାଉ ହୁଏ। ଫଟୋ ଉଠେ ନମୁନା ଯାଏ ତା’ପରେ ସବୁ ସମାନ। ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଏବେ ଔଷଧ ଦୋକାନରେ ଯାଞ୍ଚ ନାଁରେ ଚାଲିଛି କେବଳ ଲୋକ ଦେଖାଣିଆ ଯାଞ୍ଚ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି । ଜୀବନ ସହ ଖେଳ ଭଡା ସାର୍ଟିଫିକେଟରେ ଚାଲିଛି ଔଷଧ ବ୍ୟବସାୟ ଖବର ପରେ ୭୨ ଘଣ୍ଟା ଭିତରେ ଭେଷଜ ନିୟନ୍ତ୍ରଣ ବିଭାଗ ହଲିଲା। ଭୁବନେଶ୍ୱର ଅତିରିକ୍ତ ଭେଷଜ ନିୟନ୍ତ୍ରକ ଡା. ସୁଦର୍ଶନ ବିଶ୍ୱାଳ ଓ ପୁରୀ ଜିଲ୍ଲା ଭେଷଜ ନିରୀକ୍ଷକ ହିତେଶ କୁମାର ବେହେରାଙ୍କ ଟିମ୍ ଅସ୍ତରଙ୍ଗ ବଜାର ସହ କାକଟପୁର ବ୍ଲକର ୮ଟି ଦୋକାନରେ ଚଢାଉ କଲେ। ଲାଇସେନ୍ସ ଦେଖିଲେ। ଫାର୍ମାସିଷ୍ଟ ସାର୍ଟିଫିକେଟ ଯାଞ୍ଚ କଲେ। କିଛି ଆଣ୍ଟିବାୟୋଟିକ୍ ଓ ମିଆଦ ପୂରିଥିବା ଔଷଧର ନମୁନା ନେଲେ। ବିନା ପ୍ରେସକ୍ରିପସନରେ ଔଷଧ ନ ଦେବାକୁ କହିଗଲେ। ବାସ୍, ଏତିକିରେ ତଦନ୍ତ ଶେଷ। କିନ୍ତୁ କୌଣସି ଦୋକାନ ସିଲ୍ ହେଲା ନାହିଁ। କୌଣସି ଲାଇସେନ୍ସ ବାତିଲ ହେଲା ନାହିଁ। କୌଣସି ଭଡା ସାର୍ଟିଫିକେଟ ରାକେଟର ବିରୋଧରେ ମାମଲା ହେଲା ନାହିଁ। ରେଡ୍ ଖବର ପାଇବା ମାତ୍ରେ ଗ୍ରାମାଞ୍ଚଳର ଅଧାରୁ ଅଧିକ ଦୋକାନୀ ସଟର ପକାଇ ଛୁ ମାରିଲେ। ସେମାନଙ୍କ ବିରୋଧରେ ବି କିଛି ହେଲା ନାହିଁ। ଏଇଠି ହିଁ ଖୁଲାସା ହୋଇଯାଉଛି ପ୍ରଶାସନର ଅସଲି ଚେହେରା। ବର୍ତମାନ ଚର୍ଚ୍ଚା ହେଉଛି କିଛି ପ୍ରଭାବଶାଳୀ ଔଷଧ ଦୋକାନୀଙ୍କ ସହ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଯାଞ୍ଚ କେବଳ ଫର୍ମାଲିଟି ପାଲଟିଛି। ନମୁନା ସଂଗ୍ରହ କରି ଫାଇଲ୍ ବନ୍ଦ। ଅସ୍ତରଙ୍ଗ ବ୍ଲକରେ ଆଜି ବି ମାଳ ମାଳ ଦୋକାନ ବିନା ଫାର୍ମାସିଷ୍ଟ ସାର୍ଟିଫିକେଟରେ ଚାଲିଛି। ଆଉ କିଛି ଜଣ ମାସକୁ ଟଙ୍କା ଦେଇ ସାର୍ଟିଫିକେଟ ଭଡାରେ ଆଣି ଝୁଲାଇଛନ୍ତି। ତଥାପି ପ୍ରଶାସନ ଚୁପ ପୂର୍ବରୁ ବି ଅନେକ ଥର ଏମିତି ଚଢାଉ ହୋଇଛି। ୭ ଦିନ ପରେ ସବୁ ଯଥା ପୂର୍ବଂ ତଥା ପରଂ । ପୁରୁଣା ଫାଇଲ୍ କୁଆଡେ ଗଲା କେତେ ଲାଇସେନ୍ସ ବାତିଲ ହେଲା ତାର ହିସାବ ନାହିଁ। ସ୍ଥାନୀୟ ଲୋକଙ୍କ କ୍ଷୋଭ ଏମିତି ଯାଞ୍ଚ ଆମକୁ ନ କରନ୍ତୁ। ଖବରକାଗଜ ପାଇଁ ନୁହେଁ, ପ୍ରତି ମାସରେ ସରପ୍ରାଇଜ୍ ଭିଜିଟ୍ ହେଉ। ନାମ ସାର୍ବଜନୀନ କରି ଲାଇସେନ୍ସ ରଦ୍ଧ କରାଯାଉ ବୋଲି ଅଭିଯୋଗ ହୋଇଛି.


