ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବ୍ୟବସାୟୀ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ର ଏସ.ଶିବ ରେଡ୍ଡୀ ଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣାରେ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଗୁରୁବାର ଅପରାହ୍ନ ସାଢ଼େ ୨ଟା ରେ ଜଣେ ବିସ୍ଫୋରକ ସାମଗ୍ରୀ ବିକ୍ରୀ କରିଥିବା ବ୍ୟବସାୟୀ  ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ବାଦପୁର ଗ୍ରାମର ଏଲ. ଆପ୍ପାରାଓ ପାତ୍ର(୬୫)। ଥାନା ମାମଲା ନଂ.୨୧୯/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୨୯(୪)/୧୦୯/୩୫୧(୨) ଏବଂ ବିସ୍ଫୋରକ ନିୟନ୍ତ୍ରଣ ଆଇନର ଧାରା – ୩ଓ୪/ ୯(ବି) ଆଇ.ଇ ଆକ୍ଟ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ଉପକାରାଗର ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଏଲ.  ଆପ୍ପାରାଓ ବାଦପୁର ଗାଁ ରେ ଏକ ଦୋକାନ ଖୋଲି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟବସାୟ କରନ୍ତି।ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର କୈଳାସ ନାଇକ ତାଙ୍କ ନିକଟରୁ ବୋମା ତିଆରି ରେ ବ୍ୟବହୃତ ସଲଫର ଏବଂ ପଟାସିୟମ ନାଇଟ୍ରେଟ ପାଉଡର କ୍ରୟ କରି ନେଇଥିଲେ।ପରେ କୈଳାସ ଉକ୍ତ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ହାତ ବୋମା ପ୍ରସ୍ତୁତ କରିବା ସହ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧି  ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଏଲ.ଶିବା ରେଡ୍ଡୀ ଙ୍କୁ ଦେଇଥିଲେ।ପୂର୍ବରୁ ଗିରଫ ହୋଇଥିବା କୈଳାସ ଙ୍କ ସୂଚନା କ୍ରମେ ତଦନ୍ତକାରୀ ଅଧିକାରୀ ବାଦପୁର ଗ୍ରାମର ବ୍ୟବସାୟୀ ଏଲ.ଆପ୍ପାରାଓ ଙ୍କ ଦୋକାନ ଉପରେ ଅତର୍କିତ ଚଢାଉ କରି ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ପ୍ଲାଷ୍ଟିକ ଜାର୍ ରେ ଥିବା ବୋମା ତିଆରି ପାଇଁ ବ୍ୟବହୃତ ୨ ଶହ ଗ୍ରାମ ସଲଫର ଏବଂ ୧ କେ.ଜି ପଟାସିୟମ୍ କ୍ଲୋରାଇଡ ପାଉଡର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଗତ ବୁଧବାର ସନ୍ଧ୍ୟାରେ ବୋମା ମାଡ଼ କରି ହତ୍ୟା ଉଦ୍ୟମ ଘଟଣାର ମାଷ୍ଟରମାଇଣ୍ଡ  ଏଲ୍. ଶିବା ରେଡ୍ଡୀ, ବଜାପଲ୍ଲୀ ଗ୍ରାମର କୈଳାସ ନାଇକ ଏବଂ ବି. ତୁରୁୁବୁଡ଼ି ଗ୍ରାମ ନିକଟ ଗାଈଗୁହାଳ ଛକର ଜେ. କାହ୍ନୁ ଙ୍କୁ ତଦନ୍ତକାରୀ ଅଧିକାରୀ ଗିରଫ କରି ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକ ଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି) ରେ ହାଜର କରାଯିବା ପରେ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହ କୁ ପଠାଯାଇଥିଲା। କିଛିଦିନ ପୂର୍ବରୁ ଏସ. ଶିବ ରେଡ୍ଡୀ ଙ୍କ ସ୍ତ୍ରୀ ଙ୍କ ଆପତ୍ତିଜନକ ଫୋଟୋ ଓ ଭିଡ଼ିଓ କୁ ଏଲ.ଶିବା ରେଡ୍ଡୀ ଭାଇରାଲ କରିଥିଲେ।ଏନେଇ ଏସ. ଶିବ ରେଡ୍ଡୀ ଥାନାରେ ଏତଲା ଦେଇଥିଲେ।ଏଥିରେ ଉତ୍ତେଜିତ ହୋଇ ଏଲ.ଶିବା ରେଡ୍ଡୀ ତାଙ୍କ ସହଯୋଗୀ ମାନଙ୍କୁ ସାଙ୍ଗରେ ନେଇ ଗତ ମେ ୧୯ ତାରିଖ ବିଳମ୍ବିତ ରାତି ପ୍ରାୟ ୧ ଟାରେ ଘର ସମ୍ମୁଖରେ ଥିବା ଏସ. ଶିବ ରେଡ୍ଡୀ ଙ୍କ ବାଇକ ରେ ବୋମା ଖଞ୍ଜିବା ସହ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ ତାଙ୍କ ଘର ଉପରକୁ ଲଗାତର ୩ ଟି ବୋମା ମାଡ଼ କରିଥିଲେ।ବୋମା ମାଡ଼ ପରେ ଘର ସାରା ଧୁଆଁ ହୋଇଯିବାରୁ ଭୟଭୀତ ହୋଇ ପରିବାର ଲୋକେ ପାଟି କରିବାରୁ ଗାଁ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ। ପରଦିନ ସକାଳେ ଏସ. ଶିବ ରେଡ୍ଡୀ ତାଙ୍କ ବାଇକ ରେ ଖଞ୍ଜା ଯାଇଥିବା ବୋମା କୁ ସତର୍କତା ର ସହ ବାହାର କରି ପୋଲିସ କୁ ଖବର ଦେଇଥିଲେ। ବ୍ରହ୍ମପୁରରୁ ବୋମା ନିଷ୍କ୍ରିୟ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଜବତ କରି ପରେ ତାକୁ ନିଷ୍କ୍ରିୟ କରିଥିଲେ।ପୋଲିସ ଟିମ୍ ଏସ. ଶିବ ରେଡ୍ଡୀ ଙ୍କ ଘର ସମ୍ମୁଖରୁ ବୋମା ରେ ବ୍ୟବହୃତ ଗନ୍ ପାଉଡର, କାଚ ଖଣ୍ଡ,ପ୍ଲାଷ୍ଟିକ ଟୁକୁରା ଏବଂ ବାରୁଦ ଲାଗିଥିବା କିଛି ଗୋଡ଼ି ଜବତ କରିଥିଲେ। ଘଟଣା ପରଠାରୁ ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ