‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ପ୍ରଦର୍ଶନ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ
କଟକ, (ଓ୍ବାଇଏନଏସ): ବିବାଦୀୟ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଏବେ ରିଲିଜ୍ ହୋଇପାରିବ ନାହିଁ । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲାବେଳେ ହାଇକୋର୍ଟ ଏହା ଉପରେ କଟକଣା ଲଗାଇଛନ୍ତି । ଅଦାଲତଙ୍କ ଅନୁମତି ବିନା ଏହି ଫିଲ୍ମ ପ୍ରଦର୍ଶନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୫ ତାରିଖକୁ ଧାର୍ଯ୍ୟ ହୋଇଛି । ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଦସ୍ୟ ମହେଶ ସାହୁ, ଡକ୍ଟର ପ୍ରମୋଦ ଆଚାର୍ଯ୍ୟ, ଉମାଶଙ୍କର ଆଚାର୍ଯ୍ୟ ଓ ଶାଶ୍ୱତ ସାହୁଙ୍କ ପକ୍ଷରୁ ପୃଥକ ଭାବେ ରୁଜୁ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ସମ୍ବିତ୍ ପତ୍ରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେପୁଟି ସଲିସିଟର୍ ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ ।


