ଜିଲ୍ଲା ପରିଷଦର ନବମ ବୈଠକ ଅନୁଷ୍ଠିତ
ବାଲେଶ୍ୱର : ଆଜି ପୂର୍ବାହ୍ନ ୧୦.୩୦ ଘଟିକାରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମ ଠାରେ ବାଲେଶ୍ୱର ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ନବମ ବୈଠକ ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ, ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ଜନସାଧାରଣଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ଭିତ୍ତିଭୂମି ବିକାଶ, ଶିକ୍ଷା, କୃଷି, ସମାଜ ମଙ୍ଗଳ ପରି ଅନ୍ୟାନ୍ୟ ଜନହିତକର ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟିକା, ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର, ମାନ୍ୟବର ବିଧାୟକ ଭୋଗରାଇ ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ମାନ୍ୟବର ଉପ ସଭାପତି ଶ୍ରୀମତୀ ଅନୁସୟା ପ୍ରଧାନ, ସମ୍ମାନୀୟ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ମାନ୍ୟବର ସାଂସଦ, ଭଦ୍ରକର ପ୍ରତିନିଧି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ, ସୋରୋର ପ୍ରତିନିଧି ଶ୍ରୀଯୁକ୍ତ ଅଶ୍ଵିନୀ ମହାପାତ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ବାଲେଶ୍ୱର ଜିଲ୍ଲାର ଉପସ୍ଥିତ ଥିବା ସମସ୍ତ ଜନ ପ୍ରତିନିଧି ମାନେ ବିଭିନ୍ନ ବିଭାଗ ସହ ସମ୍ପୃକ୍ତ ସ୍ଥାନୀୟ ସମସ୍ୟା, ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଏବଂ ଲୋକଙ୍କ ଦାବି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ସହ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜନସାଧାରଣଙ୍କୁ ଉନ୍ନତ ସେବା ପ୍ରଦାନ, ବିକାଶମୂଳକ କାର୍ଯ୍ୟରେ ଗତି ଆଣିବା ଏବଂ ସମନ୍ୱିତ ପ୍ରୟାସ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।


