ରଥଯାତ୍ରାରେ ଏନ୍ସିସି କ୍ୟାଡେଟ୍ଙ୍କ ସେବାମୂଳକ କାର୍ଯ୍ୟ
ଆସିକା (ୱାଇଏନ୍ଏସ୍) ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ଗତକାଲି ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁରେ ଜଗତକର୍ତ୍ତା ଶ୍ରୀ ଜଗନ୍ନାଥ ମହାପ୍ରଭୂ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ଦିବ୍ୟ ରଥଯାତ୍ରା ଏକ ଆଧ୍ୟାତ୍ମିକ ତଥା ଭବ୍ୟ ଓ ମଙ୍ଗଳମୟ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେଉଥିଲେ ମଧ୍ୟ ଚିନିଶିଳ୍ପ ନୁଆଗାଁ ରଥଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ପବିତ୍ର ଘୋଷଯାତ୍ରାରେ ଜଗତକର୍ତ୍ତା ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ରଥଟଣା କାର୍ଯ୍ୟରେ ସାମିଲ୍ ହେବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଚିନିଶିଳ୍ପ ନୁଆଗାଁରେ ଗୁରବାର ଅନୁଷ୍ଠିତ ହୋଇଥିବା କୋଟି କୈବଲ୍ୟନାଥ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପାଦନ କରିବା ଲାଗି ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିଆଯାଇଥିବା ପଦକ୍ଷେପ ଶତ ପ୍ରତିଶତ ସଫଳତାର ସହ ସଂପନ୍ନ ହୋଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ ସାଙ୍ଗକୁ ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀର ଏନ୍ସିସି କ୍ୟାଡେଟ୍ମାନେ ଚିନିଶିଳ୍ପ ନୁଆଗାଁ ରଥଯାତ୍ରାରେ ସାମିଲ୍ ହୋଇ ସମାଜ ପ୍ରତି ଥିବା ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିବା ପୂର୍ବକ ହାତରେ ହାତ ଛନ୍ଦି ଜନଗହଳିକୁ ପରିଚାଳନା ଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ଏବଂ ଯାତାୟତ ନିୟମକୁ ସୁପରିଚାଳନା ଦିଗରେ ନେଇଥିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମରେ ଥିବା ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶ ଏବଂ ଶିକ୍ଷାନୁଷ୍ଠାନର ସହଯୋଗୀ ଏନ୍ସିସି ଅଫିସର ଅନୁପ କୁମାର ନାୟକଙ୍କ ନେତୃତ୍ୱରେ ୪୭ ଜଣ ଏନ୍ସିସି କ୍ୟାଡେଟ୍ ଚିନିଶିଳ୍ପ ନୁଆଗାଁ ରଥଯାତ୍ରାରେ ସାମିଲ୍ ହୋଇ ସେବାମୂଳକ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଚିନିଶିଳ୍ପ ନୁଆଗାଁରେ ରଥଯାତ୍ରାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ ଏବଂ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ବ୍ୟାପକ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରାଯାଇଥିବା ପରିଲକ୍ଷିତ ହୋଇଥିଲା ।


