ବିପ୍ଲବୀ ଆନନ୍ଦ ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଗୀତଗୋବିନ୍ଦ ସଦନରେ ଓଡିଶା ସାହିତ୍ୟ ଏକାଡେମୀ ଓ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ମଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇଷ୍ଟର୍ଣ୍ଣମିଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୈାମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ଜେନା କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରଜା ଆନ୍ଦୋଳନରେ ଝାସ ଦେଇଥିଲେ। ସାହିତ୍ୟ ରଚନା କରି ସେ କନିକାବାସୀଙ୍କ ମନରେ ବିପ୍ଳବର ବହ୍ନି ଜଳାଇଥିଲେ। ଶେଷରେ ତାଙ୍କୁ ବିଷ ଦେଇ ହତ୍ୟା କରାଗଲା। ଏଭଳି ଚିନ୍ତାନାୟକଙ୍କୁ ଏ ଜାତି ଯେଭଳି ସମ୍ମାନ ଦେବା କଥା ତାହା ଦେଇନାହିଁ। ଏଥିରେ ଉଦଘାଟକ ଭାବେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ କହିଲେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ରଙ୍କ ଭଳି ବଣମଲ୍ଲୀଙ୍କ ମହକ ଲୋକଲୋଚନକୁ ଆସିବା ଜରୁରୀ। ତାଙ୍କ ନେତୃତ୍ୱରେ ସଂଗଠିତ ୧୪୨ବର୍ଷର ସେହି ପୁରୁଣା ସଙ୍ଘର୍ଷର କାହାଣୀ ବିଷୟରେ ଭବିଷ୍ୟତ ପିଢୀ ଜାଣିବା ଆବଶ୍ୟକ। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଯୋଗଦେଇ କହିଲେ କନିକା ପ୍ରଜା ଆନ୍ଦୋଳନକୁ ଉଜ୍ଜୀବିତ କରି ରଖିବାରେ କବି ଆନନ୍ଦ ଚନ୍ଦ୍ରଙ୍କ ଲେଖନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ତାଙ୍କ ଲେଖନୀରେ କନିକା ପ୍ରଜାମାନଙ୍କ ଦୁଃଖ ଜଳଜଳ ହୋଇ ଦିଶୁଥିଲା ବୋଲି ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ। ସ୍ତମ୍ବକାର ଅଭୟ ଦ୍ୱିବେଦୀ ସ୍ୱର୍ଗତ ଜେନାଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖି ସଂଗ୍ରାମୀ ଜେନାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ. ବାସୁଦେବ ଦାସ, ହୟଗ୍ରୀବ ଗୁରୁ, ରମଣୀରଞ୍ଜନ ରାଉତରାୟ, ଶିକ୍ଷାବିତ କାଶିନାଥ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଦୁଃଖିନୀ କନିକା ପୁସ୍ତକ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ. ହୟଗ୍ରୀବ ଗୁରୁ, ମୁକ୍ତାର ଖାଁ, ଅଧ୍ୟାପକ ଅଜୟ ରାଉତ, କରୁଣାକର ଦାସ, ଶୁଭ୍ରାଂଶୁ ଦାସ, ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସୁରେନ୍ଦ୍ର ଦାସ, ଆଶିଷ ସେନାପତି, ଗୋଲେଖ ଚନ୍ଦ୍ର ପରିଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶା ସାହିତ୍ୟ ଏକାଡେମୀ ସଚୀବ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ସଚିବ ସଞ୍ଜୟ ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେକ ଚନ୍ଦନ, ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ