ଭାଙ୍ଗିଗଲା ପୋଲ, ଗାଁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଦୁଲିପଦା ଠାରୁ ବଣିଆରୀ ପର୍ଯନ୍ତ ଯାଇଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ଲଗାଣ ବର୍ଷା ଯୋଗୁଁ ପୁରୁଣା ପୋଲଟି ଭାଙ୍ଗି ଯାଇଥିବାରୁ  ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗାଁ ଭିତରକୁ ଆମ୍ବୁଲାନ୍ସ ଟିଏ ଯାଇ ପାରୁ ନଥିବା ବେଳେ ଚାଷୀମାନେ ଚାଷକାମ ପାଇଁ ଟ୍ରାକ୍ଟର ଟିଏ ମଧ୍ୟ ବିଲକୁ ନେଇ ପାରୁ ନାହାନ୍ତି। ଗତ ୨ ଦିନ ହେଲା ଛାତ୍ରଛାତ୍ରୀ ମାନେ ସ୍କୁଲ କୁ ଯିବା ଆସିବା ବନ୍ଦ କରି ଦେଇଛନ୍ତି। ସରକାର ଗ୍ରାମାଞ୍ଚଳର ରାସ୍ତାର ଉନ୍ନତି କରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଠି ଯୋଜନା ଅପହଞ୍ଚ ହୋଇ ପଡିଛି। ସବୁ ଗାଁ ରେ କଂକ୍ରିଟ ରାସ୍ତା ହୋଇଥିବା ବେଳେ ଏହି ଗାଁକୁ କେବଳ ମୋରମ ରାସ୍ତାଟିଏ ହୋଇଥିଲା, ଯେ ତାହା ପୁଣି ଅନେକ ବର୍ଷ ଧରି ମରାମତି ନ ହେବାରୁ  ଏବେ ତାହା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ୨୪ ବର୍ଷର ବିଜେଡି ସରକାର ରାସ୍ତା ଟିଏ କରି ପାରିଲେନି, ପୁଣି ବିଜେପି ସରକାର ତିନି ବର୍ଷ ଶାସନ କଲାଣି କିନ୍ତୁ ରାସ୍ତା ଟିଏ ହୋଇ ପାରୁନି ବୋଲି ଭାଗିରଥି ସାହୁ, ସୂର୍ଯ୍ୟମଣୀ ସାହୁ, ଉମାକାନ୍ତ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଆର୍ତତ୍ରାଣ ବାରିକ, ମାର୍କଣ୍ଡ ସାହୁ, ଅକ୍ଷୟ ସାହୁ, ନିରାକାର ସାହୁ, ରାମଚନ୍ଦ୍ର ସାହୁ, ସୀତା ସାହୁ, ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ଗ୍ରାମବାସୀ ମାନେ କ୍ଷୋଭର ସହିତ କହିଛନ୍ତି। ଗତକାଲି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଥିବା ପୋଲଟି ଦେଇ ରାସ୍ତା ଉପରେ ଫୁଟେ ଉଚ୍ଚର ପାଣି ଚାଲିଥିଲା। ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରୁ ନାହାନ୍ତି। ପୋଲଟି ବିପଦ ସଂକୁଳ ହୋଇ ପଡିଥିବାରୁ ଗ୍ରାମବାସୀ ଭୟ ଭୀତ ଅବସ୍ଥାରେ ଅଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ନିର୍ମାଣ ସହିତ ନୂତନ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ରାସ୍ତାଟି ପୂର୍ବରୁ ପଞ୍ଚାୟତ ରାଜ ବିଭାଗରେ ଥିଲା, ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଛି, ଟେଣ୍ଡର କରାଯାଇ ରାସ୍ତା କାମ କରାଯିବ ବୋଲି ବିଡ଼ିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ