ଇଂରାଜୀ ବିଭାଗକୁ ବିଧାୟକଙ୍କ ପୁସ୍ତକ ଦାନ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପାଠାଗାରକୁ କେନ୍ଦ୍ରାପଡା ବିଧାୟକ ତଥା ଇଂରାଜୀ ବିଭାଗର ପୁରାତନ ଛାତ୍ର ଗଣେଶ୍ୱର ବେହେରା ପୁସ୍ତକ ଓ କମ୍ପ୍ୟୁଟର ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆଜି ଇଂରାଜୀ ବିଭାଗ ସେମିନାର ହଲରେ ଇଂରାଜୀ ବିଭାଗ ମୁଖ୍ୟ ପୂର୍ବାଶା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଇଂରାଜୀ ବିଭାଗର ଶିକ୍ଷାବିକାଶ କ୍ଷେତ୍ରରେ ବିଧାୟକଙ୍କ ସହଯୋଗ ଓ ଉଦ୍ୟମକୁ ପ୍ରଶଂଶା କରିଥିଲେ।ବିଧାୟକ ଛାତ୍ରଛାତ୍ରୀମାନଙ୍କ ସହ ବାକ୍ୟ ବିନିମୟ କରିବା ଅବସରରେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ପାରମ୍ପରିକ ଅଧ୍ୟୟନକୁ ଡିଜିଟାଲ ସାକ୍ଷରତା ସହ ମିଶ୍ରଣ କରି ଅତ୍ୟାଧୁନିକ ଉପାୟରେ ପାଠ ପଢିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ, ଅଚ୍ୟୁତାନନ୍ଦ ମହାରଣା, ସୁଶ୍ରୀ ହିରନମୟୀ ସାମଲ, ପ୍ରିୟାଂଶୁଶେଖର ରାଉତରାୟ, ସୁଶ୍ରୀ ସୁଚେତା ପରିଜା, ରାଜଶ୍ରୀ ଜେନାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ସୁଜାତା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।


