ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ
ଧାମନଗର (ଓ୍ବାଇଏନଏସ): ଧାମନଗର ମହାବିଦ୍ୟାଳୟ ପରିସରରେ ଭଦ୍ରକ ପୁଲିସ ପକ୍ଷରୁ ସାଇବର ଅପରାଧ ଏବଂ ନୂତନ ଆପରାଧିକ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସାଇବର ଥାନାର ଅଧିକାରୀ ଦୟାନିଧି ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ପ୍ରକାର ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇ, ୟୁପିଆଇ ଠକେଇ, ଓଟିପି ଠକେଇ, ଫିସିଂ, ସାଇବର ବୁଲିଂ, ଡିଜିଟାଲ୍ ଆରେଷ୍ଟ, ନକଲି ଚାକିରି ଓ ଲୋନ୍ ଆପ୍ ଜରିଆରେ ହେଉଥିବା ଠକେଇ ସମେତ ସାଇବର ଅପରାଧର ବିଭିନ୍ନ ପ୍ରକାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ସେହିପରି ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବା, ଓଟିପି ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହ ଭାଗ ନ କରିବା ଏବଂ ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଏସ୍ଡିପିଓ ବିଷ୍ଣୁ ଚରଣ ବାରିକ ନୂତନ ଆପରାଧିକ ଆଇନର ବିଭିନ୍ନ ଦିଗ ଓ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶ ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ବ୍ୟବହାର ବେଳେ ସତର୍କ ରହିବା ସହ ସନ୍ଦେହଜନକ ଫୋନ୍ କଲ୍,ଲିଙ୍କ୍ କିମ୍ବା ଅନଲାଇନ୍ କାରବାର ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ବେଜ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସାଇବର ଅପରାଧ ନିବାରଣ ଏବଂ ନୂତନ ଆଇନ ସମ୍ପର୍କରେ ତଥ୍ୟ ଗ୍ରହଣ କରିଥିଲେ। ଶେଷରେ ସାଇବର ସଚେତନତା ସମ୍ପର୍କିତ ପ୍ରଶ୍ନୋତ୍ତର ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।


