ଡ୍ରେନ ଓ କଲଭର୍ଟ ନିର୍ମାଣ ପାଇଁ ଶିଳାନ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରରେ ଦୀର୍ଘ ଦିନର ଏକ ଗୁରୁତର ସମସ୍ୟା ଭାବେ ଦୃଶ୍ୟମାନ ହେଉଥିବା ସାମାନ୍ୟ ବର୍ଷାରେ ରାସ୍ତା ଜଳମଗ୍ନ ହେବା, ଯାତାୟାତ ବ୍ୟାହତ ହେବା, ବ୍ୟବସାୟ ପ୍ରଭାବିତ ହେବା ଏବଂ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବା ପ୍ରଭୃତିର ନିରାକରଣ ପାଇଁ ଯୋଜନାବଦ୍ଧ ପଦକ୍ଷେପର ଶୁଭାରମ୍ଭ ହୋଇଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ନିରନ୍ତର ପ୍ରୟାସରେ ସହରର ସମନ୍ୱିତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ବୃହତ୍ ଡ୍ରେନେଜ୍ ମାଷ୍ଟର ପ୍ଲାନର ଅଂଶ ବିଶେଷ ୧୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏ ନେଇ ବାଲେଶ୍ୱର ପୌରାପାଳିକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟଅତିଥିଭାବେ ଯୋଗଦେଇ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଯେଉଁ ଯେଉଁ ଅଂଚଳରେ ବର୍ଷା ସମୟରେ ବାରମ୍ବାର ଜଳବନ୍ଦୀ ସମସ୍ୟା ସୃଷ୍ଟି ହୁଏ, ସେହି ସ୍ଥାନଗୁିଡକରେ ବୈଜ୍ଞାନିକ ପ୍ରଣାଳୀରେ ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ ପାଇଁ ପ୍ରାୟ ସାଢ଼େ ଆଠ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏହି ପ୍ରକଳ୍ପଗୁଡିକ ଆରମ୍ଭ କରାଯାଉଛି । ଫଳରେ ବର୍ଷାଜଳ ନିଷ୍କାସନ କ୍ଷମତା ବୃଦ୍ଧି ପାଇବ, ଜଳବନ୍ଦୀପ୍ରବଣ ଅଂଚଳରେ ପାଣି ଜମିବା ସମସ୍ୟା ଯଥେଷ୍ଟ ହ୍ରାସ ପାଇବ ଏବଂ ସହରବାସୀ ନିଶ୍ଚିତ ଭାବେ ଆଶ୍ୱସ୍ତି ଲାଭ କରିବେ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବୃହତ୍ ଡ୍ରେନେଜ୍ ମାଷ୍ଟର ପ୍ଲାନର ସଫଳ ରୂପାୟନ ପରେ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ ବୋଲି ସେ କହିଛନ୍ତି । ତେବେ ସହରବାସୀଙ୍କ ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଡ୍ରେନ୍ ଉପରେ ନିର୍ମିତ ଅତିକ୍ରମଣ ଓ ଅବୈଧ ନିର୍ମାଣକୁ ସ୍ୱତଃ ହଟାଇଦେବାକୁ ବିଧାୟକ ଶ୍ରୀ ଦତ୍ତ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ପୌରାଧ୍ୟକ୍ଷା ସବିତା ସାହୁଙ୍କ ପୌରହିତ୍ୱରେ ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟକାରୀ ହେଉଥିବା ନୂତନ ପ୍ରକଳ୍ପର ସମ୍ପର୍କରେ ସୂଚନା ଦେଇଥିଲେ । ଯୋଜନାରେ ସାମିଲ ପ୍ରକଳ୍ପଗୁଡିକ ମଧ୍ୟରେ ୧୯ ଓ ୨୦ନଂ ୱାର୍ଡରେ ତେଲେଙ୍ଗାସାହି ସାଇ ମନ୍ଦିର ଠାରୁ ରେଲୱେ କଲଭର୍ଟ ପର୍ଯ୍ୟନ୍ତ ୬୦ଲକ୍ଷ ଟଙ୍କା, ୨୬ନଂ ୱାର୍ଡରେ ଆଦ୍ୟାଶକ୍ତି ମନ୍ଦିର ଠାରୁ କଂଗ୍ରେସ ଅଫିସ ଦେଇ ମୋତିଗଞ୍ଜ ମସଜିଦ ପର୍ଯ୍ୟନ୍ତ ୬୦ଲକ୍ଷ ଟଙ୍କା, ୨୮ନଂ ୱାର୍ଡରେ ଗେ।।ପାଳ ଗାଁ ଶ୍ମସାନ ଠାରୁ ଆଦିତ୍ୟ ଦାସ ଘର ଦେଇ ମହାନାଳ ପର୍ଯ୍ୟନ୍ତ ୪୦ଲକ୍ଷ ଟଙ୍କା, ୨୪ନଂ ୱାର୍ଡରେ ମିହିର ବାରିକଙ୍କ ଘର ଠାରୁ ଓଲନ୍ଦାଜ ସାହି କେନାଲ ପର୍ଯ୍ୟନ୍ତ ୪୦ଲକ୍ଷ ଟଙ୍କା, ୨୧ନଂ ୱାର୍ଡରେ ଭାସ୍କରଗଞ୍ଜ ଅଂଚଳରେ ୮୦ଲକ୍ଷ ଟଙ୍କା, ସହଦେବଖୁଂଟା ଅଂଚଳରେ ୩୦ ଲକ୍ଷ ଟଙ୍କା ଓ ଗୁଡିପଦା ଅଂଚଳରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଡ୍ରେନ ସହିତ କଭର ସ୍ଲାବ ଓ କଲଭର୍ଟ ନିର୍ମାଣ, ୨୨ ଓ ୨୩ନଂ ୱାର୍ଡରେ ବିଶ୍ୱଗୁରୁ ପ୍ରେସ ଠାରୁ ଲୋକନାଥ ମନ୍ଦିର ଦେଇ ଆନନ୍ଦବଜାର ପର୍ଯ୍ୟନ୍ତ ୫୦ଲକ୍ଷ ଟଙ୍କା, ୧୭ନଂ ୱାର୍ଡରେ ଓଟି ରୋଡର ଓଡିଶା ସାଇକେଲ ଷ୍ଟୋର ଠାରୁ ସେଲ୍ସ ଟ୍ୟାକ୍ସ କଲୋନୀ ଓ ପଟେଲ କଲୋନୀ ଦେଇ ଏଲଆଇସି ଅଫିସ ନିକଟ ମହାନାଳ ପର୍ଯ୍ୟନ୍ତ ୯୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଡ୍ରେନ ସହିତ କଭର ସ୍ଲାବ ଓ କଲଭର୍ଟ ନିର୍ମାଣ କରାଯିବ । ସେହିପରି ୪ ଓ ୬ନଂ ୱାର୍ଡରେ ବାଲୁବଜାର ଛକ ୯ନଂ ରୋଜା ଠାରୁ କାଳୀ ମଣ୍ଡପ ପର୍ଯ୍ୟନ୍ତ ୨୩ଲକ୍ଷ ୯୮ହଜାର ଟଙ୍କା ଓ ୨୯ନଂ ୱାର୍ଡରେ ନେଳିଆବାଗ ନିୟୁ କଲୋନୀ ଠାରେ ଚୈତନ୍ୟ ନାୟକଙ୍କ ଘର ଠାରୁ ସନାତନ ନାୟକଙ୍କ ଘର ପର୍ଯ୍ୟନ୍ତ ୩୦ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମହାନାଳ ସହିତ କଭର ସ୍ଲାବ ନିର୍ମାଣର ଯୋଜନା କରାଯାଇଛି । ୨୭ନଂ ୱାର୍ଡରେ ସରସ୍ୱତୀ ଶିଶୁମନ୍ଦିର ନିକଟରେ ୫୧ଲକ୍ଷ ୭୨ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ପ୍ରୋଟେକସନ ୱାଲ ନିର୍ମାଣ, ୨୦ନଂ ୱାର୍ଡରେ ଅଙ୍ଗାରଗଡିଆ ଫ୍ଲାଏ ଓଭରବ୍ରିଜ୍ ଠାରୁ ରେଲୱେ ନୟନଜୋରୀ ପର୍ଯ୍ୟନ୍ତ ୬୦ଲକ୍ଷ ୧୮ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଆରସିସି ଡ୍ରେନ ଓ କଭର ସ୍ଲାବ ନିର୍ମାଣ, ୧୧ନଂ ୱାର୍ଡରେ ନିକାହ ମହଲ କଲଭର୍ଟ ଠାରୁ ବୁଢାବଳଙ୍ଗ ନଦୀ ପର୍ଯ୍ୟନ୍ତ ୯୮ଲକ୍ଷ ୩୪ହଜାର ଟଙ୍କା ଓ କାଳୀ ମଣ୍ଡପ ଠାରୁ ନିକାହ ମହଲ କଲଭର୍ଟ ପର୍ଯ୍ୟନ୍ତ ୮୫ଲକ୍ଷ ୮ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମହାନାଳ ନିର୍ମିତ ହେବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ କାଉନସିଲର ପଦ୍ମଲୋଚନ ପଣ୍ଡା ଓ ସତ୍ୟଶିବ ସୁନ୍ଦର ଦାସ ସହରର ଦୀର୍ଘଦିନର ସମସ୍ୟା ନିରାକରଣରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଓ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସମେତ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ନାଥ, ପ୍ରତିମା ବେହେରା, ରୋଜାଲିନ ପାଣି, ପ୍ରିତିଲତା ସେଠୀ, ନିରୂପମା ଦାଶ, ସଲିମା ବିବି, ସୁଚିସ୍ମିତା ପଣ୍ଡା, ଅମିତ ନାୟକ, ନିତ୍ୟଗୋପାଲ ସିଂ, ଦେବାଶିଷ ସିଂ, ଶେଖ ନୌସାଦ, ଭାରତୀ ପାତ୍ର ପ୍ରମୁଖ ମଂଚାସୀନ ଥିଲେ । ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପୌରାଂଚଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା ।


