ଗୋପାଳ ସମାଜର ବାର୍ଷିକ ସମ୍ମିଳନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ବୁଧବାର ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ ପ୍ରଥମ ଅଧିବେଶନରେ ଗୋପାଳ ସମାଜକୁ ସଙ୍ଗଠିତ କରାଯିବା ସହ ଶିକ୍ଷା,ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ହାସଲ ପାଇଁ ସମ୍ମିଳିତ ଉଦ୍ୟମ କରାଯିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେସନରେ ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦଙ୍କ ହାତପାଣ୍ଠିରୁ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ।ପରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗୋପାଳ ସମାଜ ତିନି ତାଲୁକା ସଭାପତି ମନୋରଞ୍ଜନ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଯୋଗଦେଇ ଗୋପାଳପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ାକୁ ନୂତନ ରେଳ ଲାଇନ ପାଇଁ ଚୂଡାନ୍ତ ସର୍ଭେ କାର୍ଯ୍ୟ ପ୍ରାୟତଃ ସରିଛି।ସେହିପରି ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ ସଭାରେ କହିଥିଲେ।ଗଞ୍ଜାମ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଉଦବୋଧନ ଦେଇଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ଗୋପାଳ ସମାଜ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ପୂର୍ବତନ ସରପଞ୍ଚ କେ, ହରିବନ୍ଧୁ ରେଡ୍ଡୀ, ପିତାମ୍ବର ଗୌଡ଼, ରବି ଚନ୍ଦ୍ର ଗୌଡ଼, ସିମାଞ୍ଚଳ ଗୌଡ଼, ନାରାୟଣ ମହାଙ୍କୁଡ଼, ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ଗୋପାଳ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ରଘୁନାଥ ମହାଙ୍କୁଡ଼, ଗଣେଶ ଗୌଡ଼, ନାରାୟଣ ଗୌଡ଼, ଲକ୍ଷ୍ମଣ ଗୌଡ଼ଙ୍କ ସମେତ ସମାଜର ମୁଠା ସଭାପତି, ତାଲୁକା ସଭାପତି, ସମସ୍ତ କାର୍ଯ୍ୟକର୍ତ୍ତା, କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ଗୌଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଇନଜୀବି ଗଣେଶ ମହାଙ୍କୁଡ଼, ଏନଏସି କାଉନସିଲର ନୀଳମାଧବ ଗୌଡ଼, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ଦେବହରି ଗୌଡ଼, ରାମହରି ଗୈାଡ, ଆଦିକନ୍ଦ ଗୈାଡ, ଉଲ୍ଲାସ ଗୈାଡ, ମୃତ୍ୟୁଞ୍ଜୟ ଗୈାଡ, ରାଜେନ୍ଦ୍ର ଗୈାଡ, ସନ୍ତୋଷ ଗୈାଡ, ବୁଲୁ ଗୈାଡ, ପ୍ରଫୁଲ୍ଲ ଗୈାଡ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବାର୍ଷିକ ସମ୍ମିଳନୀ ଅବସରରେ କୁଳ ଦେବତା ଶ୍ରୀ ଗୋପାଳକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା ସହ ନାମସଙ୍କୀର୍ତ୍ତନ , ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତିନି ତାଲୁକା ଅଧିନ ବିଭିନ୍ନ ଗ୍ରାମରୁ ସହସ୍ରାଧିକ ସଭ୍ୟା ସଭ୍ୟ ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଥିଲେ।


