ଆଜି ପାଳିତ ହେବ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ପ୍ରତିଷ୍ଠା ଦିବସ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅର୍ନ୍ତଗତ କେନ୍ଦୁପଦର ଅଞ୍ଚଳରେ ଉଚ୍ଚ ଶିକ୍ଷାର ବାର୍ତ୍ତାବହ ସାଜିଥିବା ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ୪୮ତମ ପ୍ରତିଷ୍ଠା ଦିବସ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ନିମିନା ବୃନ୍ଦାବନ କଲେଜ ଆସନ୍ତାକାଲି ତାର ୪୮ତମ ପ୍ରତିଷ୍ଠା ଦିବସ ପାଳନ କରି ଆଉମାତ୍ର କିଛି ବର୍ଷ ପରେ ସ୍ୱର୍ଣ୍ଣ ଜୟନ୍ତୀ ଅଭିମୁଖେ ଅଗ୍ରସର ହେବାକୁ ଥିବା ବେଳେ ଏହି ଶିକ୍ଷାନୁଷ୍ଠାନକୁ କେନ୍ଦୁପଦର ଅଞ୍ଚଳରେ ପ୍ରତିଷ୍ଠା କରିବା ଦିଗରେ ଅଭିମନ୍ୟୁ ବାଡତ୍ୟା, ଶରତ ଚନ୍ଦ୍ର ଆପଟ, ରଘୁନାଥ ଆପଟ, ଉଦୟନାଥ ସୁଆର, ଭଗବାନ ବିଶ୍ୱାଳ, ଚନ୍ଦମଣି ବରାଡ, ଉଦୟନାଥ ଭୋଳ, ନିଳକଣ୍ଠ ବେହେରା, ନିମିନା ଗ୍ରାମର ମଠମହନ୍ତ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଦାଶଙ୍କ ଅବଦାନ ଅବିସ୍ମରଣୀୟ । କେନ୍ଦୁପଦର, ନିମିନା, ଚାଟୁଳା, କେଶରାପଲ୍ଲୀ, ମୁନିଗାଡି, ନାହାଡା, ବେଣାପାଟ, ଆମ୍ବପୁଆ, ପଣସପଲ୍ଲୀ, ଖୁକୁଣ୍ଡିଆ, ବାଙ୍ଗରଡା, କେଶପୁର, ନୂଆପଲ୍ଳୀ, ବନ୍ଥପଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳର କିଛି ଶିକ୍ଷାବିତ୍, ସଚେତନ ନାଗରିକ ମାନଙ୍କୁ ନେଇ କେନ୍ଦୁପଦର ଗ୍ରାମରେ ଏକ ମହାବିଦ୍ୟାଳୟ ସ୍ଥାପନ କରିବାକୁ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ୧୯୭୮ ମସିହା ଜୁଲାଇ ମାସ ୨୪ତାରିଖରେ ସାକାର ରୂପ ନେଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ୧୯୭୯ ମସିହାରେ ସରକାରୀ ସ୍ୱିକୃତୀ ପାଇଥିଲା ବେଳେ ଏହି ଶିକ୍ଷାନୁଷ୍ଟାନର ବିଗତ ୪୭ବର୍ଷର ସ୍ୱର୍ଣ୍ଣିମ ଇତିହାସରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇଥିଲା ବେଳେ ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାରେ ଚଳିତ ଶିକ୍ଷାବର୍ଷରେ ୧୨ଶହରୁ ଉଦ୍ଦ୍ୱର୍ ବିଦ୍ୟାର୍ଥୀଙ୍କୁ ପାଠପଢା ଯାଉଛି । ଛାତ୍ର ଛାତ୍ରୀ ମାନେ ଯେତେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେଲେ ମଧ୍ୟ ସବୁ ସମୟରେ ମନେ ପଡିଥାଏ ପିଲାଦିନର ସେହି ବିଦ୍ୟାଳୟ କଥା । ବିଦ୍ୟାଳୟ ଦେଇଥାଏ ବିଦ୍ୟାର୍ଥୀଙ୍କ ପରିଚୟ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅହରହ ପ୍ରଚେଷ୍ଟା ଏବଂ ଦାୟିତ୍ୱବୋଧ କର୍ତ୍ତବ୍ୟ ସାଙ୍ଗକୁ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଚ୍ଚ ଶିକ୍ଷାର ବିକାଶ ସକାଶେ ସୁଦୂର ପ୍ରସାରୀ ପରିକଳ୍ପନା ଯୋଗୁଁ ସଂପ୍ରତି ଏହି ଶିକ୍ଷାନୁଷ୍ଠାନରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଅଭିଜ୍ଞ ସ୍ଥାୟୀ ଓ ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷାଦାନ କରୁଛନ୍ତି । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରୁ କଲେଜ ଶିକ୍ଷା ସମାପ୍ତ କରି ପରବର୍ତ୍ତୀ ସମୟରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବହୁ ବିଦ୍ୟାର୍ଥୀ ବର୍ତ୍ତମାନ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ନାମ କମାଇ ଶିକ୍ଷାନୁଷ୍ଠାନ ତଥା ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ନଜିର ରହିଛି । ଏହି ଶିକ୍ଷାନୁଷ୍ଟନରୁ ଅତୀତରେ ପାଠପଢି ଯୁବ ଆଇନଜୀବୀ ଲାଲ୍କୃଷ୍ଣ ପ୍ରଧାନ ଏବଂ ପ୍ରିୟାଂଶୁ ଶେଖର ପରିଡା ଓ ଯୁବ ଆଇନଜୀବୀ ଅଜିତ୍ କୁମାର ମୁନି, ଅମ୍ବିକା ଆଚାରୀ, ଭକ୍ତରାମ ଗୌଡ, ସୁଧାଂଶୁବାଳା ବିଶ୍ୱାଳ, ପ୍ରଭାତ କୁମାର ମହାପାତ୍ର, ଅର୍ଚ୍ଚନା ପାଣିଗ୍ରାହୀ, ଦୁର୍ଗାପ୍ରସାଦ ମହାପାତ୍ର, ଏମ୍.ଚିତ୍ରସେନ ଦୋରା, ରତ୍ନାକର ପ୍ରଧାନ, ସୁନିତା ସ୍ୱାଇଁ, ନବଘନ ପ୍ରଧାନ, ପବିତ୍ର ମୋହନ ବେହେରା, ଏମ୍.ମହେନ୍ଦ୍ର ଦୋରାଙ୍କ ସମେତ ବହୁ ବିଦ୍ୟାର୍ଥୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର୍ ଶିକ୍ଷା ଦେବା ଲାଗି ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ସ୍ଥାପନ ହୋଇଛି ଆଇଟି କମ୍ପ୍ୟୁଟର୍ ଲ୍ୟାବ୍ । ସ୍କାଉଟ୍ ଓ ଗାଇଡ୍ କମ୍ପାନୀ ଆରମ୍ଭକରି ଏନସିସି, ଏନଏସଏସ ଓ ଯୁବ ରେଡକ୍ରସ ଏହି ପୁରାତନ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ ହୋଇଥିଲା ବେଳେ ବିଭିନ୍ନ ସମୟରେ ବହୁବିଧ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିବା ନଜିର ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଭିତ୍ତିଭୂମୀକୁ ଅଧିକରୁ ଅଧୁକ ସୁଦୃଢ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଯୋଗାଇଦେବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ ସଚେତନା ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ରାଜ୍ୟର ଏକ ଅଗ୍ରଣୀ ଓ ଆଦର୍ଶ ମହାବିଦ୍ୟାଳୟରେ ପରିଗଣିତ କରିବା ଲକ୍ଷ୍ୟରେ ପ୍ରୟାସ ଜାରି ରଖିଥିବା କର୍ତ୍ତବ୍ୟନିଷ୍ଠ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଆସନ୍ତା ୩୧ ତାରିଖରେ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିବାକୁ ଥିବାରୁ ଏବେଠୁ ଶିକ୍ଷାନୁଷ୍ଠାନର ଆଗାମୀ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଥିବା ଦେଖିବାକୁ ମିଳୁଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ ଆସନ୍ତାକାଲି ତାର ୪୮ତମ ପ୍ରତିଷ୍ଟା ଦିବସ ପାଳନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚଳାଇଥିବା ବେଳେ ଶିକ୍ଷାନୁଷ୍ଠାନ ପରିସର ନବବଧୂ ପରି ସଜାଇ ହୋଇଛି । ତେବେ ଏହି ପୁରାତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ଦୀର୍ଘ ୪୭ବର୍ଷ ପରେ ବି ଲାଗି ରହିଛି ଅନେକ ସମସ୍ୟା, ଯାହା ଅବର୍ଣ୍ଣନୀୟ । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜନୀତି ବିଜ୍ଞାନ, ଗଣିତ, ଇତିହାସ, ଇଂରାଜୀ ପାଠ୍ୟକ୍ରମରେ ସ୍ଥାୟୀ ଅଧ୍ୟାପକ ପଦବୀ ଦୀର୍ଘଦିନ ଧରି ଖାଲି ପଡିଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


