​ଜେଜିୟୁରୁ ଅନ୍ତର୍ଜାତୀୟ ସମ୍ପର୍କରେ ଏମ.ଏ. ଡିଗ୍ରୀ ହାସଲ କଲେ ମାଲକାନଗିରିର ଶିକ୍ଷାବିତ୍

​ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ବାଲିମେଳା କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଶିକ୍ଷକ ତଥା ଗବେଷକ ଡ. କିଶୋର କୁମାର ଦାଶ। ହରିୟାଣାର ସୋନିପଥ ସ୍ଥିତ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିର ‘ଜିନ୍ଦଲ ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସ’ ପକ୍ଷରୁ ଆୟୋଜିତ ୧୫ଶ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଅନ୍ତର୍ଜାତୀୟ ସମ୍ପର୍କ, ସୁରକ୍ଷା ଓ ରଣନୀତି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଛି। ​ବିଶ୍ୱବିଦ୍ୟାଳୟର ଚାନ୍ସେଲର ନବୀନ ଜିନ୍ଦଲ, ହାର୍ଭାଡ ବିଶ୍ୱବିଦ୍ୟାଳୟର ପ୍ରଫେସର ତରୁଣ ଖାନ୍ନା ଏବଂ ଜେଜିୟୁର କୁଳପତି ପ୍ରଫେସର (ଡ.) ସି. ରାଜ କୁମାରଙ୍କ ଉପସ୍ଥିତିରେ ଡ. ଦାଶଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଥିଲା। ​ଡ. ଦାଶ ଏହି ଅନଲାଇନ୍ ସ୍ନାତକୋତ୍ତର ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଛ ‘ଓ’ (ଆଉଟଷ୍ଟାଣ୍ଡିଂ/ଉଚ୍ଚପ୍ରଶଂସନୀୟ) ଗ୍ରେଡ୍‌ ସହ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ମଧ୍ୟରେ ଏହି ବିଶେଷଜ୍ଞ ପାଠ୍ୟକ୍ରମରେ ଏଭଳି ସଫଳତା ହାସଲ କରିବା ଏକ ବିରଳ ସ୍ୱୀକୃତି।​ଜଣେ ବହୁମୁଖୀ ଗବେଷକ ଭାବେ ଡ. ଦାଶ ୩୦ରୁ ଅଧିକ ପୁସ୍ତକ ରଚନା କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ପତ୍ରିକାରେ ୫୦ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରକାଶ କରିଛନ୍ତି। ଏହାଛଡ଼ା ଅନ୍ତର୍ଜାତୀୟ ସମ୍ପର୍କ, ରଣନୈତିକ ବ୍ୟାପାର, ସୁଶାସନ, ସମ୍ବାଦିକତା ଏବଂ ଜନନୀତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀରେ ନିଜର ଗବେଷଣା ପତ୍ର ଉପସ୍ଥାପନ କରିଛନ୍ତି। ଡ. ଦାଶଙ୍କ ଏହି ଗୌରବମୟ ସଫଳତା ପାଇଁ ମାଲକାନଗିରିର ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ଏହା ଜିଲ୍ଲା ଶିକ୍ଷା ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ