ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରି ମହୋତ୍ସବ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ସେ ଭାବଗ୍ରାହୀ ନୁହଁନ୍ତି , ସେ ହେଉଛନ୍ତି ସର୍ଵ ଶକ୍ତିମାନ୍, ସର୍ଵ କଳା ସମ୍ପନ୍ନ , ସର୍ବ ରହସ୍ୟମୟ , ଲୀଳାମୟ ପୂର୍ଣ୍ଣ ଦାରୁବ୍ରହ୍ମ । ତେଣୁ ପୁରାଣରେ କୁହାଯାଇଛି –
ସର୍ଵ ରହସ୍ୟ° ପୁରୁଷୋତ୍ତମସ୍ୟ ଦେବାଃ ନ ଜାନନ୍ତି କୁତଃ ମନୁଷ୍ୟାଃ। ଯାହା’ଙ୍କ ରହସ୍ୟ ଦେବତା ମାନଙ୍କୁ ଅଗୋଚର , ସେହି ରହସ୍ୟ ମୟଙ୍କ ରହସ୍ୟକୁ କିପରି ବା ସାଧାରଣ ମନୁଷ୍ୟ ଜାଣିପାରିବ । ଏହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତ ସ୍ଥାବର ଜଙ୍ଗମରେ ପୂର୍ଣ୍ଣ ରୂପରେ ପୁରି ରହିଥିବା କାରଣରୁ ତା’ଙ୍କୁ ସ୍ମୃତି ଶାସ୍ତ୍ରରେ ପୂର୍ଣ୍ଣବ୍ରହ୍ମ ବୋଲି ମଧ୍ୟ ଅଭିହିତ କରାଯାଇଛି । ସେ କେବଳ ପୂର୍ଣ୍ଣବ୍ରହ୍ମ ନୁହଁନ୍ତି, ଅପିତୁ ସେ ହେଉଛନ୍ତି ଅତି ଦୟାବନ୍ତ ଠାକୁର। ତେଣୁ ମହାପ୍ରଭୁଙ୍କ ଏପରି କରୁଣା ଭାବକୁ ଦେଖି କୁହାଯାଉଛି:-
ସର୍ଵଦ୍ରଷ୍ଟା ଜଗନ୍ନାଥ ଦାରୁବ୍ରହ୍ମ ରୂପ
ଅପଲକ ନେତ୍ରେ ହର ସର୍ଵ ଦୁଃଖ ତାପ
ଘଟେ ଘଟେ ବସିଅଛ ସୂକ୍ଷ୍ମ ରୂପ ଧରି
କହଇ ହେମନ୍ତ ସେହି ମୁକ୍ତି ଦାନ କାରୀ ।।
ସେହି ଦୁଃଖ ହାରକ କୀଟ ଓ ପତଙ୍ଗ ଠାରୁ ଆରମ୍ଭ କରି ବୃହଦକାୟ ଜୀବମାନଙ୍କ ସମସ୍ତ କର୍ମ ଫଳକୁ ଅପଲକ ନେତ୍ରରେ ଦେଖୁଥାନ୍ତି ଏବଂ ସର୍ଵ ଦୁଃଖ ତାପକୁ ବିନାଶ କରିବା ସହ ଆନନ୍ଦ ପ୍ରଦାନ କରିଥାନ୍ତି । ତତ୍ ସହିତ ଚତୁର୍ବିଧ ମୁକ୍ତି ମଧ୍ୟରୁ ଗୋଟିଏ ମୁକ୍ତି ଦେଇଥାନ୍ତି। ଏହି ମହାପ୍ରଭୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ ପାଇଁ ଯେଉଁ ନବ ଦିନାତ୍ମକ ଘୋଷଯାତ୍ରା ଉତ୍ସବ କରାନ୍ତି, ସେହି ଯାତ୍ରାର ଅନ୍ତିମ ପର୍ବକୁ ନୀଳାଦ୍ରି ବିଜେ କୁହଯାଏ। ଯାହା ଆଷାଢ଼ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ। ଏହାପରେ ସିଂହାସନ ମାଜଣା କରାଯାଇ ପହଣ୍ଡି କର୍ମ ବଢ଼ିଥାଏ। ପହଣ୍ଡି ସମୟରେ ଚତୁର୍ଦ୍ଧାମୂର୍ତ୍ତିମାନେ ଶ୍ରୀଗୁଣ୍ଡିଚା ଦିନ ଭଳି ଧାଡ଼ି ପହଣ୍ଡିରେ ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ଗମନ କରନ୍ତି ନାହିଁ। ଉକ୍ତ ଦାରୁ ମୂର୍ତ୍ତିମାନଙ୍କୁ ଏକ ଏକ କରି ଗୋଟି ପହଣ୍ଡିରେ ନେବାର ପରମ୍ପରା ରହିଛି। ତେଣୁ ପ୍ରଥମେ ଜ୍ୟେଷ୍ଠଭାଇ ଶ୍ରୀବଳଭଦ୍ର, ଶ୍ରୀସୁଦର୍ଶନ ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସିଂହଦ୍ୱାର ଦେଇ ଜୟବିଜୟ ଦ୍ବାର ଅତିକ୍ରମ କରିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରା ଯାଇଥାଏ। ଏ ସମୟରେ ସମସ୍ତ ଦୃଶ୍ୟକୁ ଚାହାଣୀ ମଣ୍ଡପରେ ରହି ଅଭିମାନିନୀ ସାଗର ଦୁଲଣୀ ମା ‘ ମହାଲକ୍ଷ୍ମୀ ଦେଖୁଥାନ୍ତି । ଇତ୍ୟବସରରେ ଜଗତର ନାଥ ଶ୍ରୀଜଗନ୍ନାଥ ନିଜ ଅଙ୍ଗଲାଗି ସେବକମାନଙ୍କ ସହ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ କୁପିତା ଲକ୍ଷ୍ମୀ ଦାସୀମାନଙ୍କୁ ନେଇ ଦ୍ୱାରକୁ କିଳିଦିଆନ୍ତି । ଏହାଦେଖି ମହାପ୍ରଭୁଙ୍କ ସେବକମାନେ ଅନୁନ୍ୟ ବିନୟ ମୁଦ୍ରାରେ କରଯୋଡ଼ି ନିବେଦନ କରିବା ସହ ଅନେକ ବୁଝାଇ ଥାନ୍ତି । କିନ୍ତୁ ଯେତେ କହିଲେ ଓ ବୁଝାଇଲେ ବି ମା ‘ ଦ୍ୱାର କପାଟ ଖୋଲନ୍ତି ନାହିଁ । ଶେଷରେ ସକଳ ଚରାଚରର ନିୟନ୍ତା ଚତୁର୍ଦ୍ଦଶ ଭୁବନର ନାୟକ ମାନଭଞ୍ଜକ କାଳିଆ ସାଆନ୍ତ ହସ୍ତରେ ରସଗୋଲା ଧରି ଦ୍ୱାର ନିକଟକୁ ଆସନ୍ତି । ଏହାପରେ ଆରମ୍ଭ ହୁଏ ଜଗନ୍ନାଥ ଓ ମା ‘ ଲକ୍ଷ୍ମୀଙ୍କର ଗୋଟି ଗୋଟି ବଚନିକା।

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମା ‘ ଦାସୀମାନଙ୍କୁ ଡାକି ଅଭିମାନ ଭରା ଆଦେଶ ଦେଇ କହନ୍ତି; ହେ ଦାସୀମାନେ ! ତୁମ୍ଭେ ଯାଇ ଶ୍ରୀଜଗନ୍ନାଥଙ୍କୁ କୁହ ଯେ , ଏହି ସ୍ଥାନରେ ଚଣ୍ଡରୂପା ଦେବୀ ଅବସ୍ଥାନ କରୁଛନ୍ତି। ଆପଣଙ୍କୁ ସୁଖ ପ୍ରଦାନ କରିବାପରି କେହି ପ୍ରିୟା ଏଠାରେ ନାହାନ୍ତି। ଏହା ହେଉଛି ବିରହିଣୀପୁର । ଚନ୍ଦନାଦି ସୁଗନ୍ଧ ପଦାର୍ଥ, ଆପଣଙ୍କ ମନଲାଖି ପାନ, ଭୋଜନ କିଛି ଏଠାରେ ପ୍ରାପ୍ତ ହେବ ନାହିଁ । ଏଣୁ ହେ ବିଭୁ ! ଯେଉଁଠାରେ ଆପଣଙ୍କୁ ଏସବୁ ସୁଲଭ ହେବ , ଆପଣ ସେଠାକୁ ଯିବା ହେଉ। ଏପରି ସମସ୍ତ ଅଭିମାନ ଭରା ବାକ୍ୟ ଶୁଣି, ଜଗତର ନାଥ ଶ୍ରୀଜଗନ୍ନାଥ ନିଜେ କରିଥିବା ଭୁଲକୁ ସ୍ବୀକାର କରିବା ସହ , କହନ୍ତି – ହେ ପ୍ରିୟେ ! ଏହିପରି ଭୁଲ ଆଉ କେବେ ଭବିଷ୍ୟତରେ ହୋଇବ ନାହିଁ । ଏଣୁ ଏବେ ତୁମେ ତୁମ ମାନଭଞ୍ଜନ ପରିତ୍ୟାଗ କରି ଶ୍ରୀମନ୍ଦିରକୁ ଚାଲିବା ହେଉ । ଏପରି ଶୁଣିବାପରେ ମା’ ଲକ୍ଷ୍ମୀ ନିଜର ଦାସୀମାନଙ୍କୁ କହନ୍ତି ଯେ,
ଜାଣେ ସେ କେତେ ଛନ୍ଦ ଗୋପପୁରର ଚାନ୍ଦ
ମନକୁ ତୋଷିଲେ ବହନେ ଲୋ
ରଙ୍ଗ ଅଧରେ ହସି କୁହରେ ଦେଇ ଭାଷି
ଚିତ୍ତ ମୋହିନେଲେ ମୋହନ ଲୋ ।
ତତ୍ ପରେ ଭିତରଛ ମହାପତ୍ର ରସଗୋଲା ଭୋଗ କରିଥାନ୍ତି । ମହାପ୍ରଭୁ ମା ‘ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ।

ଶେଷରେ କୁହାଯାଇପାରେ ଯେ, ନୀଳାଦ୍ରି ମହୋତ୍ସବ ହେଉଛି ଓଡ଼ିଆ ଜାତିର ଗୌରବ ଓ ପରମ୍ପରାର ଏକ ଅମୂଲ୍ୟ ଅଧ୍ୟାୟ। କାଳର କରାଳ ସ୍ରୋତରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଶ୍ରୀମନ୍ଦିରର ଏହି ପ୍ରାଚୀନ ନୀତି ଆଜି ମଧ୍ୟ ସେହି ସମାନ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଆସୁଛି, ଯାହା ଜଗନ୍ନାଥ ସଂସ୍କୃତିର ପାବନ ବାର୍ତ୍ତାବହ ଅଟେ ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ