ମହିମା ଆଶ୍ରମରେ ଲାଗି ରହିଥିବା ବାଦ ବିବାଦ ପ୍ରସଙ୍ଗ, ତଦନ୍ତ ପାଇଁ ପହଞ୍ଚିଲେ ଉଚ୍ଚ ନ୍ୟାୟାଳୟର କମିଶନର

ନାଉଗାଁ,(ଓ୍ବାଇଏନଏସ) :ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମରେ ଦୀର୍ଘ ଦିନ ହେବ ଅନ୍ତେବାସୀ ,ଗ୍ରାମବାସୀଙ୍କ ସହିତ ବାବା ଗଦାଧର ଦାସ ଓ ରୀନା ମା’ଙ୍କର ବିବାଦ ଲାଗି ରହିଛି। ଏହି ବାଦ ବିବାଦର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ରବିବାର ଆଶ୍ରମ ପରିସରରେ କମିଶନର ଯୁଗଳ କିଶୋର ପଣ୍ଡା ପହଂଚିଥିଲେ। କମିଶନରଙ୍କ ସହ ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ବଡୁ, ଥାନାଧିକାରୀ ଦେବାଶୀଷ ପଣ୍ଡା ଆଶ୍ରମରେ ଉପସ୍ଥିତ ଥିଲେ। କମିଶନର ପଣ୍ଡା ଆଶ୍ରମ ବୁଲିବା ସହିତ ଆଶ୍ରମରେ ରହୁଥିବା ଅନ୍ତେବାସୀ, ଶ୍ରଦ୍ଧାଳୁ, ଗ୍ରାମବାସୀ, ବାବା ଗଦାଧର ଦାସ, ରୀନା ସ୍ୱାଇଁଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଶାଳିଜଙ୍ଗା ମହିମା ଆଶ୍ରମରେ ଜମି ହଡପ ମାମଲା ନେଇ ଗ୍ରାମବାସୀ ଓ ବାବ ଗଦାଧର ଦାସ, ରୀନାଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ବିବାଦ ଉପୁଜିବା ପରେ ଉଭୟ ବାବା ଓ ମାତା ଆଶ୍ରମରୁ ବାହାରି ଚାଲିଯାଇଥିଲେ। ଗ୍ରାମବାସୀମାନେ ଆଶ୍ରମ ମଧ୍ୟଙ୍କୁ ଉଭୟଙ୍କୁ ରଖିବା ପାଇଁ ମନା କରି ଦେଇଥିଲେ। ଶେଷରେ ବାବା ଦାସ ଓ ରୀନା ମା’ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଉଭୟ ଆଶ୍ରମରେ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନୁସାରେ ୨୦୨୬ ଅପ୍ରେଲ ୫ରେ ବାବା ଗଦାଧର ଦାସ ଓ ରୀନା ମା’ ଥାନାରେ ପହଂଚିଥିଲେ। ଥାନାରେ ତତ୍କାଳିନ ଏସଡିପିଓ ଆଜିଙ୍କ୍ୟ ମାଣେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟପ୍ରକାଶ ଦାସ,ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ, ଥାନାଧିକାରୀ ଦେବାଶୀଷ ପଣ୍ଡା, ତହସିଲଦାର ଅକ୍ଷୟ ବଡୁ, ଅତିରିକ୍ତ ତହସିଲଦାର ଶରତ କୁମାର ପରିଡାଙ୍କ ସମେତ ଶାନ୍ତି କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ଉଭୟ ଆଶ୍ରମ ମଧ୍ୟଙ୍କୁ ଯାଇ ପାରିବେ ନାହିଁ ବୋଲି କମିଟିର ସଦସ୍ୟମାନେ ରୋକଠୋକ ମନା କରିଦେଇଥିଲେ। ଫଳରେ ଉଭୟ ଆଶ୍ରମକୁ ଯାଇ ପାରି ନଥିଲେ। ଶେଷରେ ୨୦୨୬ ଅପ୍ରେଲ ୭ରେ ପୋଲିସ ପ୍ରଶାସନ ସୁରକ୍ଷା ସହିତ ଉଭୟ ଆଶ୍ରମରେ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ