ପରିସରରେ ଶିକ୍ଷକ ମହିଳାଙ୍କୁ ବିଦ୍ୟାଳୟ ଅସଦାଚରଣ, ଥାନାରେ ଏତଲା ତଦନ୍ତ ଆରମ୍ଭ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଅଧୀନ ଜାଗୁଳାଇ ସରକାରୀ ନୋଡାଲ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକ ମହିଳା ଅଭିଭାବକଙ୍କୁ ଅସଦାଚରଣ ବ୍ୟବହାରକୁ ଅଭିଯୋଗ କରିଛନ୍ତି।ଏନେଇ ମହିଳା ଜଣକ ଗୁରୁବାର ଧାମନଗର ଥାନାରେ ସହକାରୀ ଶିକ୍ଷକ ସୁକାନ୍ତ ନାୟକଙ୍କ ନାମରେ ଏକ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ତାଙ୍କ ଝିଅର ପାଠପଢ଼ା ସମ୍ପର୍କିତ କିଛି ଜିନିଷ ଦେବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ଜିନିଷ ଦେଇସାରି ସେ ଘରକୁ ଫେରିବା ସମୟରେ ଉପସ୍ଥିତ ଥିବା ଶିକ୍ଷକ ଶ୍ରୀ ନାୟକ ତାଙ୍କୁ ଅଟକାଇ କ’ଣ ପାଇଁ ବାରମ୍ବାର ବିଦ୍ୟାଳୟକୁ ଆସୁଛୁ କହି ଗାଳିଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ଶିକ୍ଷକ ଅସଦାଚରଣ କରିବା ସହ ତଣ୍ଟି ଚିପି ତଳେ ପକାଇ ମାଡ଼ ମାରିଥିଲେ ଏବଂ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ତଦନ୍ତ କରି ଶିକ୍ଷକଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଏବଂ ସାଧାରଣରେ ଦାବି କରିଛନ୍ତି। ଅପରପକ୍ଷେ ଏ ସମ୍ପର୍କରେ ଶିକ୍ଷକ ନାୟକ କହିଛନ୍ତି ଗତ ମଙ୍ଗଳବାର ବିଦ୍ୟାଳୟ ଶ୍ରେଣୀଗୃହରେ ଜଣେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡକୁ କେନ୍ଦ୍ରକରି ଉକ୍ତ ମହିଳା ବିଦ୍ୟାଳୟକୁ ଆସି ଛାତ୍ରଙ୍କୁ ମାରଧର କରିଥିଲେ। ପରେ ଏନେଇ ଛାତ୍ରଙ୍କ ଅଭିଭାବକ ସେମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଗୁରୁବାର ସେହି ମହିଳା ବିଦ୍ୟାଳୟକୁ ଯାଇଥିବା ଦେଖି ମାଡ଼ ଖାଇଥିବା ଛାତ୍ର ଜଣକ ଅଫିସକୁ ଆସି ତାଙ୍କୁ ଜଣାଇଥିଲେ। ସେ ଉକ୍ତ ମହିଳାଙ୍କୁ ଅଫିସକୁ ଡାକି ଘଟଣା ସମ୍ପର୍କରେ ବୁଝିବା ବେଳେ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲକୁ ଫିଙ୍ଗି ବିଦ୍ୟାଳୟରୁ ଚାଲିଯାଇଥିଲେ। ଅଭିଯୋଗ ସମ୍ପୂର୍ଣ୍ଣ ଭିଭିହୀନ ବୋଲି କହିବା ସହ ଉକ୍ତ ମହିଳାଙ୍କ ନାମରେ ଧାମନଗର ଥାନାରେ ପାଲଟା ଅଭିଯୋଗ କରିଥିବା ଶିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାମନଗର ଥାନାଧିକାରୀ ଶୁଭ୍ରଜିତ୍ ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏପଟରେ ନ୍ୟାୟ ନମିଳିଲେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ମହିଳା ଜଣକ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ