ବିଡିଓଙ୍କୁ ବଦଳି ଦାବିରେ ବିଜେଡିର ବିକ୍ଷୋଭ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ବ୍ଲକ୍ ପ୍ରଶାସନ ବିରୁଦ୍ଧରେ ଫୁଟିପଡିଲା ବିଜୁ ଜନତା ଦଳ ର ଜନ ରୋଷ। କାକଟପୁର ବଜାରରୁ ବିଜେଡି ସଭାପତି ପ୍ରାଣନାଥ ମଲ୍ଲିକଙ୍କ ନେତୃତ୍ବରେ ବିରାଟ ରାଲି ବାହାରି ବ୍ଲକ୍ ଅଫିସ୍ ଆଗରେ ପହଞ୍ଚି ଗଣବିକ୍ଷୋଭ କରିଥିଲେ । ଶତାଧିକ କର୍ମୀ ହାତରେ ପ୍ଲାକାର୍ଡ ଧରି ପିସି କାରବାର ବନ୍ଦ କର ଲାଞ୍ଚଖୋର ବିଡିଓ ଗୋ ବ୍ୟାକ୍ ନାରା ଦେଇ ପ୍ରଶାସନ କୁ ଘେରିଥିଲେ। ଶେଷରେ ନିମାପଡା ଉପଖଣ୍ଡ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଜେଡି ର ମୁଖ୍ୟ ଅଭିଯୋଗ ହେଲା କାକଟପୁର ପଂଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଣକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସୀ ସାଜି କାର୍ଯ୍ୟ କରୁଛନ୍ତି। ସେ ଜନ ସାଧାରଣଙ୍କୁ ନ୍ୟାୟ ଦେବା ବଦଳରେ ଅବହେଳା କରୁଛନ୍ତି। ଯନ୍ତ୍ରୀ ଙ୍କ ସହାୟତାରେ ବ୍ଲକ୍ ଅଫିସ୍ ରେ ମୋଟା ଅଙ୍କର ଲାଞ୍ଚ ଓ ପିସି କାରବାର ଖୋଲାଖୋଲି ଭାବେ ଚାଲିଛି। କିଛି ଦିନ ତଳେ ଲାଞ୍ଚ କାରବାର ର ଏକପ୍ରସଙ୍ଗ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବି ପ୍ରଶାସନ ଚୁପ୍ ରହିଛି। ଆଉ ଏକ ଗୁରୁତର ଅଭିଯୋଗ ହେଲା ବର୍ତମାନ କାର୍ଯ୍ୟରତ ବିଡିଓ ଶ୍ରୀ ନାରାୟଣ ଦୀକ୍ଷିତି କାକଟପୁର ନିର୍ବାଚନ ମଣ୍ଡଳୀର ବାସିନ୍ଦା ହୋଇଥିବାରୁ ଚଳାଉଛନ୍ତି ମିଲିଟାରୀ ଶାସନ। ଏପ୍ରିଲ ୨୦୨୬ ରେ ରାଜ୍ୟ ସରକାର କୌଣସି ପ୍ରଶାସନିକ ଅଧିକାରୀ ନିଜ ନିର୍ବାଚନ ମଣ୍ଡଳୀରେ ରହି ପାରିବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ ମଧ୍ୟ ବିଡିଓ ଜଣକ ଆଜି ପର୍ଯ୍ୟନ୍ତ ସେଇଠି ରହି କାମ କରୁଛନ୍ତି। ଫଳରେ ସାଧାରଣ ଲୋକ ନିଜ ସମସ୍ୟା ନେଇ ବ୍ଲକ୍ କୁ ଯିବାକୁ ଭୟ କରୁଛନ୍ତି।ଏ କଥା ସିଧା କହିଛନ୍ତି କାକଟପୁର ବିଧାୟକ ଇଂ. ତୁଷାରକାନ୍ତି ବେହେରା। ଏହି ବିକ୍ଷୋଭରେ ଯୋଗଦେଇ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ତଥା ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ସ୍ବାଧୀନ କୁମାର ନାୟକ ସିଧାସଳଖ ବିଡିଓ ଙ୍କ ନାଁ ନେଇ ବର୍ଷିଥିଲେ। ସେ କହିଥିଲେ , ସାଧାରଣ ଲୋକଙ୍କ କାମ କରିବା ପରିବର୍ତ୍ତେ ଗାମୁଛା ପକାଇ ଆସୁଥିବା ନିର୍ଦ୍ଦିଷ୍ଟ ଦଳର ଲୋକଙ୍କ କଥାରେ ବିଡିଓ କାମ କରୁଛନ୍ତି। ସ୍ମାରକପତ୍ର ଦେବା ବେଳେ ସେ ବିଡିଓ ଙ୍କୁ ସିଧା କହିଦେଲେ ଆମେ ତୁମକୁ ଦେବୁନୁ। କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା କହିଥିଲେ , ପିସି କାରବାର ର ଭିଡିଓ ଭାଇରାଲ ହେବା ପରେ ବିଡିଓ ଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ଦାଗ ଲାଗିଛି। ଏହାକୁ ଘଣ୍ଟ ଘୋଡାଇବାକୁ ସେ ପ୍ରେସମିଟ୍ କରି ଯନ୍ତ୍ରୀ ଙ୍କ ସହାୟତାରେ ଥାନାରେ ମିଛ କେସ୍ କରାଇଛନ୍ତି। ଯୁବ ନେତା ବିଶ୍ବଜିତ ଦାଶ କହିଥିଲେ ୨୪ ବର୍ଷରେ ଏମିତି ନିମ୍ନ ମାନସିକତା ଆମେ ଦେଖିନୁ। ବିଜେଡି ତିନୋଟି କଡା ଦାବି ରଖିଛି। ପ୍ରଥମତଃ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ପଂଚାୟତ ସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଉ। ଦ୍ବିତୀୟତଃ , ପଂଚାୟତ ସମିତିରେ ଚାଲିଥିବା ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ତୃତୀୟତଃ , ବିଡିଓ ନିଜ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ।
ଏହି ଗଣବିକ୍ଷୋଭରେ ଯୁବ ନେତା ତଥା କାକଟପୁର ଯୁବ ବିଜୁ ଜନତା ଦଳ ସଭାପତି ରଂଜନ ନାୟକ, ସରଫରାଜ, ରୁଦ୍ର ପ୍ରସାଦ ଲେଙ୍କା, ଶୁଭ୍ରଜିତ ମଲ୍ଲ, ଅଭୟ ସେଠୀ ଙ୍କ ସମେତ କାକଟପୁର ବ୍ଲକର ୧୬ ଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ବିଜୁ ପ୍ରେମୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଜିଲ୍ଲାପାଳ ଓ ଏସପି ଅଫିସ୍ ଘେରାଉ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।


