ରାଜ୍ୟ ରାଜପଥର ଉଭୟ ପାର୍ଶ୍ଵ ପାଣି: ନିଷ୍କାସନ ନାଳକୁ ପୁନଃରୁଦ୍ଧାର ଦାବୀ କଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ଟିଲୋ କପାଳୀ ନଦୀ ଠାରୁ ଆମ୍ବ ଗଢିଆ ଛକ ପର୍ଯ୍ୟନ୍ତ ରାଜ୍ୟ ରାଜପଥର ଉଭୟ ପାର୍ଶ୍ଵ ପାଣି ନିଷ୍କାସନ ନାଳକୁ ପୁନଃରୁଦ୍ଧାର କରିବା ପାଇଁ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଦାବୀ କରିଛନ୍ତି । ଏନେଇ ଶ୍ରୀ ଜେନା ଗତ ୨ ବର୍ଷ ପୂର୍ବେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିବା ବେଳେ ଗତ ସୋମବାର ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ପୁନର୍ବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଟିଲୋ ପଞ୍ଚାୟତ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । କାରଣ ରାଜ୍ୟ ରାଜପଥର ଟିଲୋ କପାଳୀ ନଦୀ ଠାରୁ ଆମ୍ବ ଗଢିଆ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵର ପାଣି ନିଷ୍କାସନ ନାଳ ଗୁଡିକ ପୋତି ହୋଇ ପଡି ଥିବାରୁ ବର୍ଷା ଦିନେ ବର୍ଷା ଓ ବନ୍ୟା ଜଳ ସଠିକ ଭାବେ ନିଷ୍କାସନ ହୋଇ ପାରୁନାହିଁ l ଫଳରେ ପ୍ରତି ବର୍ଷ ଶହ ଶହ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି।


