ସମୁଦ୍ର ଜୁଆରରେ ଭାସି ୮ ବର୍ଷର ଶିଶୁମୃତ

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର  ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର ଏନ୍. ଗୁରେୟାଙ୍କ ୮ ବର୍ଷୀୟ ସାନ ପୁଅ ଏନ୍. ଶିବ ନୂଆ ପୋଡେମପେଟା ସମୁଦ୍ର କୂଳରେ ଅପରାହ୍ନ ସମୟରେ ଖେଳୁଥିବା ବେଳେ ହଠାତ୍ ଜୁଆର ମାଡ଼ି ଆସିବାରୁ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ  ତୃତୀୟ ଶ୍ରେଣୀର ଛାତ୍ର ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିବାବେଳେ ତାଙ୍କର ଆହୁରି ଦୁଇଜଣ ଭଉଣୀ ରହିଛନ୍ତି। ବାପା ଗୁରେୟା  ରୋଜଗାର ନଥିବାରୁ ଜୀବିକା ନିର୍ବାହ ପାଇଁ ସେ କିଛି ଦିନ ପୂର୍ବରୁ କେରଳ ଯାଇଥିବା ସୂଚନା ମିଳିଛି । ଏକମାତ୍ର ପୁଅର ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଘଟଣାକୁ ନେଇ ପୋଡେମପେଟା ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ପରେ ସମୁଦ୍ର କୂଳକୁ ଯାଉଥିବା ଶିଶୁମାନଙ୍କ ସୁରକ୍ଷା ପ୍ରତି ଅଭିଭାବକମାନେ ଅଧିକ ସତର୍କ ରହିବା ଏବଂ ଜୁଆର ସମୟରେ ସମୁଦ୍ର ନିକଟକୁ ନଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ