ବାଲିଭଉଁରୀ–ଶିଖରଘାଟ ରାସ୍ତାର ଜରାଜୀର୍ଣ୍ଣ ଅବସ୍ଥା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ନାଉଗାଁ, (ପ୍ରଦୋଷ ମହାନ୍ତି): ନାଉଗାଁ ବ୍ଲକକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ସହ ସଂଯୋଗ କରୁଥିବା ବାଲିଭଉଁରୀ–ଶିଖରଘାଟ (୧୮ କି.ମି.) ମୁଖ୍ୟ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥା ନେଇ ଆଜି ସଚେତନ ଯୁବ ଗୋଷ୍ଠୀ ପକ୍ଷରୁ ମାନନୀୟ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ଜଗତସିଂହପୁରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ବର୍ଷା ଜଳ ଜମି ରହୁଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଏବଂ ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି ହେଉଛି। ଏହି ରାସ୍ତା ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତାୟାତ ମାର୍ଗ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ଯୁବ ଗୋଷ୍ଠୀ ପକ୍ଷରୁ ଆଗାମୀ ୭ ଦିନ ମଧ୍ୟରେ ରାସ୍ତାର ତୁରନ୍ତ ଅସ୍ଥାୟୀ ମରାମତି କରିବା ସହ ଦୀର୍ଘମିଆଦି ଭିତ୍ତିରେ ରାସ୍ତାର ସ୍ଥାୟୀ ଉନ୍ନତୀକରଣ ଓ ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଦୃଢ଼ ଦାବି କରାଯାଇଛି। ଏଥିସହ ଚେତାବନୀ ଦିଆଯାଇଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ନହେଲେ ଜନସ୍ୱାର୍ଥରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗ୍ରହଣ କରାଯିବ। ଏହି ଅବସରରେ ଘୋଡ଼ାଂଶ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଛାତ୍ରନେତା ସୁନିଲ କୁମାର ମାଟିଆ, ସାମ୍ବାଦିକ ମନୋଜ ନାୟକ ଓ ଦେବଜ୍ୟୋତି ମହାନ୍ତି, ଅଭୟ କୁମାର ବିଶ୍ୱାଳ, ଅନିଲ କୁମାର ଲେଙ୍କା, ମାନସ କୁମାର ସ୍ୱାଇଁ, ଘୋଡ଼ାଂଶ ସମିତି ସଭ୍ୟ ତରୁଣ କାନ୍ତ ବାରିକ, ରୋହିଆ ପୃବତନ ସମିତି ସଭ୍ୟ ପଦ୍ମଚରଣ ରାଉତ, ନୂଆଗାଁ ସରପଞ୍ଚ ଉଲ୍ଲାସ ରାଉଳ, ଅଜୟ ମହାନ୍ତି, ବସନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।


