ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଅସନ୍ତୋଷ; ଡେପୁଟି ୱାଡେନଙ୍କ ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ
କଟକ, (ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ୍ରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ରାତିରେ ହଷ୍ଟେଲ୍ରେ ଛାତ୍ରମାନେ ଏକାଠି ହେବାକୁ ନେଇ ରେଭେନ୍ସା ହଷ୍ଟେଲ୍ର ଡେପୁଟି ୱାର୍ଡେନ୍ ରବ୍ୟୁଲ ଅନ୍ସାରୀ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ଇଷ୍ଟ ହଷ୍ଟେଲ୍ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଣ୍ଟ ବଜାଇ ଆମରଣ ଅନଶନରେ ହଷ୍ଟେଲ ଛାତ୍ର ବସିଛନ୍ତି। ଅଗଷ୍ଟ ୧ ତାରିଖ ରାତିରେ ଫ୍ରେଣ୍ଡସିପ ଡେ ସେଲିବ୍ରେସନ ପାଇଁ ହଷ୍ଟେଲରେ ଏକାଠି ହୋଇଥିଲେ ଅନ୍ତେବାସୀ । କିନ୍ତୁ ଗତକାଲି ସକାଳୁ ଦୁଇଟି ହଷ୍ଟେଲ ରୁମରେ ଡେପୁଟି ୱାର୍ଡେନ୍ ତାଲା ପକାଇଦେଇଥିଲେ। ଯାହାକୁ ବିରୋଧ କରି ହଷ୍ଟେଲ୍ ଅନ୍ତେବାସୀମାନେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀ ଛାତ୍ର ଡେପୁଟି ୱାର୍ଡେନ ରବୀଉଲ ଅନସାରିଙ୍କ ଇସ୍ତଫା ଦାବି କରିଛନ୍ତି । ଛାତ୍ରମାନେ କରିଥିବା ଅଭିଯୋଗ ଅନୁଯାୟୀ, ରବିବାର ହଷ୍ଟେଲ୍ରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଶନିବାର ରାତିରେ ୟୁଜି ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ରମାନେ ଏକାଠି ହୋଇଥିଲେ । ରବିବାର ବନ୍ଧୁତ୍ୱ ଦିବସ ସେଲିବ୍ରେସନ୍ କରିବାକୁ ଯୋଜନା କରୁଥିବା ବେଳେ ହଷ୍ଟେଲ୍ ସିକ୍ୟୁରିଟି ଗାର୍ଡ ଡେପୁଟି ୱାର୍ଡେନ୍ଙ୍କୁ ଫୋନ୍ କରିଥିଲେ । ସକାଳେ ଫୋନ୍ ଦେଖି ହଷ୍ଟେଲ ଡେପୁଟି ୱାର୍ଡେନ୍ ରବ୍ୟୁଲ୍ ଅନ୍ସାରୀ ହଷ୍ଟେଲ୍ରେ ଶୋଇଥିବା ଛାତ୍ରଙ୍କ କବାଟ ବାଡେଇବା ସହ ବାହାରିବାକୁ କହିଥିଲେ । ଏହାପରେ ୨ଟି ରୁମ୍କୁ ତାଲା ପକାଇ ହଷ୍ଟେଲ୍ ଛାଡିବାକୁ କହିଥିଲେ । ଯାହାକୁ ବିରୋଧ କରି ୟୁଜି ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ରମାନେ ଅପରାହ୍ନରେ ହଷ୍ଟେଲ୍ ସମ୍ମୁଖ ରାସ୍ତା ବନ୍ଦ କରି ଧାରଣାରେ ବସିଥିଲେ । ସମ୍ପୃକ୍ତ ହଷ୍ଟେଲ୍ ୱାର୍ଡେନଙ୍କୁ ଦାୟିତ୍ୱରୁ ହଟାଇବାକୁ ଛାତ୍ରମାନେ ଦାବିକରି ଧାରଣାରେ ବସିବା ସହ ଜିଦ୍ରେ ଅଟଳ ରହିଥିଲେ । ଏପରିକି ମେସ୍ରେ ଖାଦ୍ୟ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଛାତ୍ରମାନେ ଖାଇ ନଥିଲେ । ଘଟଣା ସମ୍ପର୍କରେ ଖବର ପାଇଁ ଇଷ୍ଟ ହଷ୍ଟେଲ ୱାର୍ଡେନ୍ ଦାୟିତ୍ୱରେ ଥିବା ପ୍ରଫେସର ଶରତ ରାଉତ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ଉଠି ନଥିଲେ । ଅପରାହ୍ନରୁ ୨ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରମାନେ ଧାରଣାରେ ବସିବା ସହିତ ଘଣ୍ଟ ବାଡେଇ ଡେପୁଟି ୱାର୍ଡେନ୍ଙ୍କୁ ହଟାଇବାକୁ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ତେବେ ଛାତ୍ରଙ୍କ ଅଭିଯୋଗ ସମ୍ପର୍କରେ ଡେପୁଟି ୱାର୍ଡେନ୍ ରବ୍ୟୁଲ ଅନ୍ସାରୀଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ନଦେଇ ଘଟଣାକୁ ଏଡାଇ ଯାଇଥିଲେ । ତେବେ ଇଷ୍ଟ ହଷ୍ଟେଲ ୱାର୍ଡେନ୍ ପ୍ରଫେସର ଶରତ ରାଉତ ଏହି ଘଟଣାକୁ ନେଇ ଭିନ୍ନ କଥା କହିଛନ୍ତି । ଆଜି ରେଭେନ୍ସା କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳକୁ ଆସି ଛାତ୍ରମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଅନ୍ୟପଟେ ଚିଫ ୱାର୍ଡେନ ହଷ୍ଟେଲ ରୁମ ତାଲା ପକାଇବା କଥାକୁ ସ୍ୱୀକାର କରିଛନ୍ତି ।


