ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସହରରେ ଚୋରି ଓ ଛିନ୍ତାଇ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମଙ୍ଗଳବାର ଭୋର ସମୟରେ କରଡ଼ିଆ ଅଞ୍ଚଳରେ ଘଟିଥିବା ଏକ ଚେନ୍ ଛିନ୍ତାଇ ଘଟଣା ସହରବାସୀଙ୍କୁ ଚକିତ କରିଛି। ଘର ବାହାରେ ଝାଡୁ ଦେଉଥିବା ଜଣେ ବୃଦ୍ଧାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ଏଜେଣ୍ଟ ଦୁର୍ଯ୍ୟୋଧନ ବାରିକଙ୍କ ବୃଦ୍ଧା ମାତା ପ୍ରତିଦିନ ପରି ମଙ୍ଗଳବାର ଭୋରେ ନିଜ ଘର ସମ୍ମୁଖରେ ଝାଡୁ ଦେଉଥିଲେ। ଏହି ସମୟରେ ଦୁଇଜଣ ଅଜଣା ଦୁର୍ବୃତ୍ତ ହଠାତ୍ ସେଠାରେ ପହଞ୍ଚି ତାଙ୍କ ବେକରେ ଥିବା ସୁନା ଚେନ୍‌କୁ ଝାମ୍ପି ନେଇ ମୁହୂର୍ତ୍ତକ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ଏତେ ଦ୍ରୁତ ଗତିରେ ଘଟିଥିଲା ଯେ ବୃଦ୍ଧା କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଘଟଣା ପରେ ପରିବାର ଲୋକେ କରଞ୍ଜିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ କେସ୍ ନମ୍ବର–୨୯୬/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ନିକଟ ଅତୀତରେ କରଞ୍ଜିଆ ସହରରେ ଚୋରି, ଛିନ୍ତାଇ ଓ ଲୁଟ୍ ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବନା ବଢ଼ିଛି। ବିଶେଷ କରି ଭୋର ଓ ରାତି ସମୟରେ ମହିଳା ଓ ବୃଦ୍ଧମାନେ ଘର ବାହାରକୁ ବାହାରିବାକୁ ଭୟ କରୁଥିବା ଦେଖାଯାଉଛି। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଅଧିକ ପାଟ୍ରୋଲିଂ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ଏବଂ ଛିନ୍ତାଇକାରୀଙ୍କୁ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ