ଗାଁ ଗାଁରେ କଲବଲ କରୁଛି ମଶା: ପଡୁନି ମଶା ତେଲ କି ବ୍ଲିଚିଂ ପାଉଡର

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ବନ୍ୟା ଛାଡିବା ପରେ ବି ବର୍ଷା ଲାଗି ରହିଛି। ଆଉ ଏହାର ଫାଇଦା ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତରେ ମଶା ରାଜ୍ କରୁଛି। ଘରେ ଘରେ ଜ୍ୱର, ଥଣ୍ଡା, କାଶ ଆରମ୍ଭ ହୋଇସାରିଲାଣି। ଡେଙ୍ଗୁର ଛାୟା ଘାରୁଛି। ବର୍ଷା ଆଗରୁ ବୈଠକ ହେଲା, ଫାଇଲ ସରିଲା, ସଚେତନତା ରାଲି ବି ବାହାରିଲା। କିନ୍ତୁ ତାହା କାଗଜ ଓ ଫଟୋ ପର୍ଯ୍ୟନ୍ତ ସୀମିତ ରହିଲା। ବାସ୍ତବରେ କିଛି ବି ହେଲାନି। ବର୍ଷା ଋତୁ ଆରମ୍ଭରୁ ଡ୍ରେନ ସଫା ହୋଇନି। ଫଳରେ ଗାଁ ଗାଁରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ରାସ୍ତା ଉପରେ ଦିନର ପର ଦିନ ପାଣି ଜମି ରହୁଛି। କୁଢ଼ କୁଢ଼ ଅଳିଆ ପଚି ପୂତିଗନ୍ଧ ବାହାରୁଛି। ଅଧା ଭଙ୍ଗା ପାତ୍ର, ଖଣ୍ଡିଆ ଟାୟାର, ପ୍ଲାଷ୍ଟିକ ଡବାରେ ସ୍ଥିର ପାଣି ଜମି ମାଈ ଏଡିସ ମଶାର ବଂଶ ବୃଦ୍ଧି କରାଉଛି। ମଶା ତେଲ ନାଳ ନର୍ଦମାରେ ପଡୁନି। ଫଗିଂ ମେସିନ ବି କାମ କରୁନି। ସ୍ୱାସ୍ଥ୍ୟ ବିଭାଗରୁ ଆସୁଥିବା ବ୍ଲିଚି ପାଉଡର ଓ ଗାମାସିନ ମଧ୍ୟ ଦୁର୍ନୀତିର ଶିକାର ହେଉଛି। ସ୍ଥାନୀୟ ଅଭିଯୋଗ – କିଛି ଦୁର୍ନୀତିଖୋର କର୍ମଚାରୀ ସେସବୁ ବାଟମାରଣା କରୁଛନ୍ତି। ଖବର ଛପିବା ଡରରେ କେବଳ ଅଙ୍ଗନବାଡି କର୍ମୀଙ୍କୁ ଡାକି ଗୋଟିଏ ଦୁଇଟି ଜାଗାରେ ଫଟୋ ଉଠାଇ ବ୍ଲିଚି ପକାଇ କାମ ସାରି ଦିଆଯାଉଛି।ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୂମିକା ପ୍ରଶ୍ନ ବାଚୀ। ସଚେତନତା ନାଁରେ କେବଳ ମାଇକରେ ଘୋଷଣା। ମଶା ତେଲ, ବ୍ଲିଚି, ଫଗିଂ – କିଛିର ବ୍ୟବସ୍ଥା ନାହିଁ। ବ୍ଲକ ପ୍ରଶାସନ କହୁଛି ଆମେ କରୁଛୁ କିନ୍ତୁ ବାସ୍ତବତା ରେ ତାର ପ୍ରମାଣ ଶୂନ୍ । ବୁଦ୍ଧିଜୀବୀଙ୍କ କହିବା – ଏମିତି ଚାଲିଲେ ଡେଙ୍ଗୁକୁ ଅଟକାଇ ହେବନି। ବରଂ ମହାମାରୀ ଆକାର ନେବ। ସ୍ୱଚ୍ଛତା ହିଁ ଡେଙ୍ଗୁ ନିରାକରଣର ପ୍ରଥମ ଔଷଧ। କିନ୍ତୁ ସେହି ସ୍ୱଚ୍ଛତା କାର୍ଯ୍ୟକୁ ପ୍ରଶାସନ ଅଣଦେଖା କରୁଛି। ଲୋକଙ୍କ ଦାବି, ତୁରନ୍ତ ସମସ୍ତ ଗାଁରେ ଡ୍ରେନ ସଫା, ମଶା ତେଲ ଛିଞ୍ଚା ଓ ଫଗିଂ କରାଯାଉ। ବ୍ଲିଚି ଓ ଗାମାସିନ ବିତରଣରେ ହେଉଥିବା ଦୁର୍ନୀତିର ତଦନ୍ତ ହେଉ। ଦୋଷୀ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ନଚେତ ଆଗାମୀ ଦିନରେ ଡେଙ୍ଗୁ ରୋଗୀ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଉଛି। ପଂଚାୟତ ନିର୍ବାଚନ ଆଗରେ ଭୋଟ୍ ମାଗିବାକୁ ଆସିବା ପୂର୍ବରୁ ନେତା ଓ ପ୍ରଶାସନ ଏବେ ଲୋକଙ୍କ ଜୀବନ ବଞ୍ଚାନ୍ତୁ। ନଚେତ ମଶା କାମୁଡାରେ ଜୀବନ ଯିବ, ଆଉ ଦାୟିତ୍ୱ ନେବ କିଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ