ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ଆବଶ୍ୟକତା ଅନୁଯାୟୀ ଔଷଧ ଯୋଗାଣ ଦାବୀ

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧୀନସ୍ଥ ୫ ନମ୍ବର ୱାର୍ଡର ହାଟପଦା ନିକଟସ୍ଥ ପୁରୁଣା ଚାଉଲଟ୍ରି ପରିସରରେ ପରିଚାଳିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ଦିନକୁ ଦିନ ଲୋକଙ୍କ ଆସ୍ଥାଭାଜନ ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଗତ ୨୦୨୨ ମସିହା ଅକ୍ଟୋବର ମାସ ୨ ତାରିଖରେ ଶୁଭାରମ୍ଭ ହୋଇଥିବା ଏହି ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରଟି ସହରବାସୀଙ୍କୁ ହାତପାହାନ୍ତାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ବେଶ୍‍ ସହାୟକ ହୋଇପାରୁଛି ବୋଲି ସଚେତନ ନାଗରିକ ମହଲରେ ଆଲିଚିତ ହେଉଛି । ଏହି ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରଟି ଲୋକାର୍ପଣ ହେବା ପୂର୍ବରୁ ସହରର ସାଧାରଣ ଜନତା ସାମନ୍ୟ ଥଣ୍ଡା, କାଶ, ଜ୍ୱର କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଆଣୁଥିଲେ । କିନ୍ତୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ଦ୍ୱାରା ସହରବାସୀ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ହେଲା ଉପକୃତ ହୋଇପାରୁଥିବା ଆଲୋଚିତ ହେଉଛି । ସରକାରୀ ଛୁଟି ଦିନରେ କେବଳ ଦିନରେ ଏହି ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ଦିନବେଳା ଖୋଲା ରହୁଥିଲା ବେଳେ ଅବଶିଷ୍ଟ ଦିନ ସକାଳ ୮ ଘଟିକାରୁ ୧୧ ଘଟିକା ଏବଂ ଅପରାହ୍ନରେ ୫ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାପଡିଛି । ଆସିକା ସହରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଅବସ୍ଥାପିତ ଥିବା ବେଳେ ସମୂଦାୟ ୬ ଜଣ କର୍ମଚାରୀ ନିୟୋଜିତ ଥିବା ଜଣାପଡିଛି । ଏହି ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ରୋଗୀଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ପ୍ରଦାନ କରାଯାଉଥିବା ଜଣାପଡିଛି । ଗୁରୁତର ରୋଗୀଙ୍କୁ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି । ଦୈନିକ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ପରିଚାଳିତ ହୋଇଆସୁଥିବା ଏହି କେନ୍ଦ୍ରର ମୁଖ୍ୟ ଫାଟକ ନିକଟରେ ଥିବା ପେଭର୍‍ ବ୍ଳକର ଭିତ୍ତିଭୂମୀକୁ ସୁଦୃଢ କରିବା, ଆବଶ୍ୟକୀୟ ଷ୍ଟାଫ୍‍ ନିଯୁକ୍ତି କରିବା, ଲ୍ୟାବ ଟେକ୍‍ନିସିଆନ୍‍ ନିଯୁକ୍ତି କରିବା, ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇଦେବା ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରକୁ ହାତପାଆନ୍ତାରେ ଉନ୍ନତ ମାନର ମାଗଣା ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଂଚଳର ଶତାଧୀକ ରୋଗାକ୍ରାନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ଆଶାରେ ଆସୁଥିଲେ ମଧ୍ୟ ଦୀର୍ଘ କିଛି ମାସ ହେଲା ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ମଧୁମେହ, ରକ୍ତଚା. ବ୍ୟଥା ନିବାରଣ, ଗେଷ୍ଟ୍ରିକ୍‍ ସମେତ ଅନ୍ୟାନ୍ୟ କେତେକ ଜରୁରୀ ଔଷଧକୁ ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଆଯାଉନଥିବା ଯୋଗୁଁ ରୋଗୀମାନେ ବାଧ୍ୟ ହୋଇ ଔଷଧ ଦୋକାନରୁ ଖର୍ଚ୍ଚାନ୍ତ ହୋଇ ଔଷଧ କିଣୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରକୁ ଚିକିତ୍ସା ଲାଗି ଆସୁଥିବା ଶହ ଶହ ରୋଗୀଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଆବଶ୍ୟକତା ଅନୁଯାୟୀ ଔଷଧ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାଶନ ଗ୍ରାମର ଗ୍ରାମ୍ୟ କମିିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ପୌର ପରିଷଦର କାଉନସିଲର୍‍ ନିଗମାନନ୍ଦ ରାଉତ ଓ ବନ୍ଦିତା ପ୍ରଧାନ ଏବଂ ସଂଯୁକ୍ତା ଶତପଥୀ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ସମାଜସେବୀ ଶିବପ୍ରସାଦ ଶତପଥୀ ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ