କୋରାପୁଟରେ ଚମକିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଦୀର୍ଘ ସେବା ପାଇଁ ୩ କର୍ମଚାରୀ ସମ୍ମାନିତ

କୋରାପୁଟ, ୦୮/୦୮/୨୬ (ହେମନ୍ତ ପାଣିଗ୍ରାହୀ) : ଦୀର୍ଘ ୪୧ ବର୍ଷର ଶିକ୍ଷା ଓ ସାମାଜିକ ଯାତ୍ରାର ସ୍ମୃତିକୁ ନେଇ ସେମିଳିଗୁଡ଼ା ମହାବିଦ୍ୟାଳୟ ନିଜର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ପ୍ରତିଷ୍ଠା ଦିବସ ସହ ଦେଶପ୍ରେମର ବାର୍ତ୍ତାକୁ ଯୋଡ଼ି ଆୟୋଜିତ ତ୍ରିରଙ୍ଗା ରାଲି ଓ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା। ସେମିଳିଗୁଡ଼ା ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ରାଲିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ବିପୁଳ ଉତ୍ସାହର ସହ ସାମିଲ ହୋଇଥିଲେ। ହାତରେ ଜାତୀୟ ପତାକା ଓ ଦେଶପ୍ରେମମୂଳକ ସ୍ଲୋଗାନରେ ରାଲିର ପରିବେଶ ଦେଶାତ୍ମବୋଧରେ ଭରିଯାଇଥିଲା। ପ୍ରେସ୍‌ କ୍ଲବ୍‌ ଛକ ନିକଟରେ ଛାତ୍ରଛାତ୍ରୀଙ୍କ ଢେମ୍‌ସା ନୃତ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲା। ଏନ୍‌ସିସି, ରୋଭର-ରେଞ୍ଜର, ଏନ୍‌ଏସ୍‌ଏସ୍‌ ଓ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀମାନେ ମଧ୍ୟ ଅତିଥିଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ଅତିଥିମାନେ ବୃକ୍ଷରୋପଣ କରି ସଭାସ୍ଥଳକୁ ଯାଇଥିଲେ। ଅଧ୍ୟକ୍ଷା ଡ. ଝାନ୍ସୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟ ସଭାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ୪୧ ବର୍ଷର ଅଗ୍ରଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷା ସହ ସଂସ୍କୃତି, କ୍ରୀଡ଼ା ଓ ସାମାଜିକ କ୍ଷେତ୍ରରେ ଅନୁଷ୍ଠାନର ଅବଦାନକୁ ସେ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀ ନିଷ୍ଠା, ଶୃଙ୍ଖଳା ଓ ଦେଶପ୍ରେମକୁ ନିଜ ଜୀବନର ମୂଳମନ୍ତ୍ର କରିବାକୁ ସେ ଆହ୍ୱାନ ଦେଇଥିଲେ। ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ଡ. ହୃଷିକେଶ ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷାର ବ୍ୟାପକ ସୁଯୋଗ ଓ ଦେଶ ଗଠନରେ ଯୁବପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା କୃଷ୍ଣ ସିଂହ ୪୧ ବର୍ଷର ସ୍ମୃତି ଓ ଅନୁଭୂତି ବାଣ୍ଟିବା ସହ ଅନୁଷ୍ଠାନର ବିକାଶର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ମତ ରଖିଥିଲେ। ସଭାରେ ସେମିଳିଗୁଡ଼ା ପୌରପାଳିକା ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର, ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି, ସମାଜସେବୀ ନିକୁଞ୍ଜ ପଟ୍ଟନାୟକ, ସୁମନ୍ତ ପ୍ରଧାନ ଓ ବିଜୟ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ ମହାବିଦ୍ୟାଳୟର ଅତୀତର ସଫଳତା, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତ ରଖିଥିଲେ। ଅନୁଷ୍ଠାନକୁ ଏକ ଉତ୍କୃଷ୍ଟ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କ ସହଯୋଗ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।
ପ୍ରତିଷ୍ଠା ଦିବସର ଆଉ ଏକ ଉଲ୍ଲେଖନୀୟ ପର୍ବ ଥିଲା ଦୀର୍ଘଦିନ ଧରି ମହାବିଦ୍ୟାଳୟ ପାଇଁ ସେବା ଯୋଗାଇ ଆସିଥିବା କର୍ମଚାରୀଙ୍କୁ ସମ୍ମାନ। ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ, ଲାଇବ୍ରେରିଆନ୍‌ ଭାଗିରଥି ରାଉତ ଓ ପିଅନ ଲଡ଼ୁକିଶୋର ଗୌଡ଼ଙ୍କୁ ଜୀବନବ୍ୟାପୀ ସେବା ପାଇଁ ମୁଖ୍ୟଅତିଥି ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଓ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଦେବରାଜ ନାୟକ, ଡ. ଗୀତା ପଟ୍ଟନାୟକ, ଡ. ବିଦ୍ୟୁତପ୍ରଭା ରାଉତ, ଦେବଲିନା ସାହା ଓ ଜ୍ୟୋତ୍ସ୍ନା ଦାସ ସହଯୋଗ କରିଥିଲେ। ନିରଞ୍ଜନ ପୋଢ଼ ଓ ରୋନାଲି ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୀତମ ଇଞ୍ଜିନିୟରିଂ କଲେଜ ପକ୍ଷରୁ ଆୟୋଜିତ ଲିଗାସୀ ମିଟ୍‌ରେ ଯୋଗଦେଇ ଅନୁଷ୍ଠାନର ୨୫ ବର୍ଷର ଯାତ୍ରା ଓ ସଫଳତା ସମ୍ପର୍କରେ ନିଜ ମତ ରଖିଥିଲେ। ଏହି ଅବସରରେ ସମାଜସେବୀ ତଥା ଅନୁଷ୍ଠାନର ଚେୟାରମ୍ୟାନ କୃଷ୍ଣ ସିଂହଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ଲିଗାସୀ ମିଟ୍‌ରେ ଅତିଥିଙ୍କୁ ଢେମ୍‌ସା ନୃତ୍ୟରେ ସ୍ୱାଗତ କରାଯିବା ସହ ଛୋଟ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଶୀତମ ଶିକ୍ଷାନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ