ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀଙ୍କ ଅସନ୍ତୋଷ
ସିନାପାଲି,(ଲିଲାମ୍ବର ନାଗ): ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଡରାମାଲ ଗ୍ରାମରେ ନିର୍ମାଣାଧୀନ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପର ଲକ୍ଷ୍ୟ ଚାଷଜମିକୁ ଜଳସେଚନ କରିବା ହୋଇଥିବା ବେଳେ ଏପର୍ଯ୍ୟନ୍ତ ବହୁ ଅଞ୍ଚଳକୁ ପାଣି ପହଞ୍ଚିପାରିନାହିଁ। ଏପରିକି ପ୍ରକଳ୍ପର ପାଇପ୍ ବିଛା କାମ ମଧ୍ୟ ଅଧାରୁ ଅଧିକ ବାକି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୬୦ ପ୍ରତିଶତ ପାଇପ୍ ବିଛା କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରକଳ୍ପରେ ଜମିକୁ ପାଣି ଯୋଗାଣ ପାଇଁ ବ୍ୟବହୃତ ପାଇପ୍ର ଆକାରକୁ ନେଇ ମଧ୍ୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। କେତେକ ସ୍ଥାନରେ ୧ ଇଞ୍ଚ ଏବଂ ତା’ଠାରୁ କମ୍ ଆକାରର ପାଇପ୍ ବ୍ୟବହାର ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏତେ କମ୍ ବ୍ୟାସର ପାଇପ୍ ମାଧ୍ୟମରେ ବଡ଼ ଅଞ୍ଚଳର ଚାଷଜମିକୁ କିପରି ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ଦିଆଯିବ, ତାହାକୁ ନେଇ ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀ ଅଧି ନିଆଲ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଗଡରାମାଲ ଅଞ୍ଚଳରେ ଉଦନ୍ତୀ ନଦୀ ଉପରେ ପୂର୍ବରୁ ମଧ୍ୟ ଉଠା ଜଳସେଚନ ପ୍ରକଳ୍ପ ରହିଛି। ସେହି ପ୍ରକଳ୍ପ ଦ୍ୱାରା କେତେକ ଜମିକୁ ପାଣି ମିଳୁଥିବା ବେଳେ ନୂଆ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ମଧ୍ୟ ଆଶାନୁରୂପ ଭାବେ ଜମିକୁ ଜଳସେଚନ ହୋଇପାରୁନାହିଁ। ଉଦନ୍ତୀ ନଦୀ ଉପରେ ସିନାପାଲି ବ୍ଲକ୍ ଅଞ୍ଚଳରେ ଏକାଧିକ ଉଠା ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ସେଗୁଡ଼ିକର କାର୍ଯ୍ୟକାରିତା ଓ ଉଦ୍ଦେଶ୍ୟ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠୁଛି। ବିଶେଷକରି ଉଦନ୍ତୀ ନଦୀରେ ଇଣ୍ଟେକ୍ ୱେଲ୍ ମାଧ୍ୟମରେ ପାଣି ଉଠାଇ ଚାଷଜମିକୁ ଯୋଗାଇବାର ଯୋଜନା ବାସ୍ତବରେ କେତେ ସଫଳ ହେବ, ତାହା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ, ନଦୀରୁ ପାଣି ଉଠାଇବା ପାଇଁ ପ୍ରକଳ୍ପରେ ୧୨୫ ଏଚ୍ପିର ତିନୋଟି ମୋଟର ଖଞ୍ଜାଯାଇଥିବା କୁହାଯାଉଛି। ଏହି ବ୍ୟବସ୍ଥା ମାଧ୍ୟମରେ ଆବଶ୍ୟକ ପରିମାଣର ପାଣି ଉଠାଇ ଚାଷୀଙ୍କ ଜମିକୁ ପହଞ୍ଚାଇବା ସମ୍ଭବ କି ନାହିଁ, ତାହା ନେଇ ମଧ୍ୟ ଚାଷୀମାନେ ସ୍ପଷ୍ଟତା ଦାବି କରିଛନ୍ତି। ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଏଭଳି ବୃହତ୍ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ଜମିକୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇବା। ହେଲେ ଯଦି ପ୍ରକଳ୍ପ ନିର୍ମାଣ ସତ୍ତ୍ୱେ ଚାଷୀଙ୍କ ଜମିକୁ ପାଣି ନ ପହଞ୍ଚେ, ତେବେ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଗଡରାମାଲ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ହୋଇଥିବା କାମର ଗୁଣବତ୍ତା, ପାଇପ୍ର ଆକାର, ପାଇପ୍ ବିଛା କାମର ଅଗ୍ରଗତି, ମୋଟର ଓ ଇଣ୍ଟେକ୍ ୱେଲ୍ର କ୍ଷମତା ସହିତ ପ୍ରକଳ୍ପର ମୋଟ ଖର୍ଚ୍ଚ ଏବଂ ବାସ୍ତବ ଉପଯୋଗିତାର ଯାଞ୍ଚ କରିବାକୁ ଚାଷୀ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ଅଭିଯୋଗଗୁଡ଼ିକରେ କେତେ ସତ୍ୟତା ରହିଛି, ତାହା ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେବେ ଚାଷୀଙ୍କ ଜମିକୁ ପ୍ରକୃତରେ ପାଣି ପହଞ୍ଚାଇବା ସହ ପ୍ରକଳ୍ପର କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


