ସାମ୍ଭାବ୍ୟ ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିରୋଧ, ସଂଗ୍ରାମ ସମିତି ତରଫରୁ ସମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାରେ ସମ୍ଭାବ୍ୟ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନକୁ ନେଇ ବିବାଦ ତୀବ୍ର ହୋଇଛି । “ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିରୋଧ ସଂଗ୍ରାମ ସମିତି ” ପକ୍ଷରୁ ନବରଙ୍ଗପୁରର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡ଼ା ଅଞ୍ଚଳରେ ସମ୍ଭାବ୍ୟ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଗୁପ୍ତ ଭାବେ ପ୍ରସ୍ତୁତି ଚାଲିଛି ।ସମିତିର ଦାବି ଅନୁସାରେ, ଏନଟିପିସି ପକ୍ଷରୁ ମୃତ୍ତିକା ପରୀକ୍ଷା ସହ ବିଭିନ୍ନ ପ୍ରକାରର ସର୍ଭେ କରାଯାଇଥିଲେ ମଧ୍ୟ ଏହାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇନାହିଁ ।ସମିତି ଅଭିଯୋଗ କରିଛି ଯେ, ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ ଏବଂ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳରେ ପ୍ରାୟ ୬୦୦ ହେକ୍ଟର ଜମି ଚିହ୍ନଟ କରାଯାଇସାରିଛି ।ଭୂମିକମ୍ପ ସମ୍ବନ୍ଧୀୟ ସର୍ଭେ ନାମରେ ପ୍ରକୃତରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଚାଲିଥିବା ଦାବି କରାଯାଇଛି । ଏପରିକି ଏହି ପ୍ରକଳ୍ପରେ ଏକ ବଡ଼ କର୍ପୋରେଟ ସଂସ୍ଥା ଜଡ଼ିତ ଥିବା ଅଭିଯୋଗ ମଧ୍ୟ ସମିତି ପକ୍ଷରୁ କରାଯାଇଛି । ତେବେ ଏହି ସମସ୍ତ ଦାବିର କୌଣସି ସରକାରୀ ପୁଷ୍ଟି ମିଳିନାହିଁ । ସମିତିର କହିବା ଅନୁସାରେ, ପ୍ରସ୍ତାବିତ ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ କୌଣସି ବୃହତ୍ ପ୍ରକଳ୍ପ ପୂର୍ବରୁ ଗ୍ରାମସଭା ଓ ପଲ୍ଲୀସଭାର ଅନୁମୋଦନ ନେବା ବାଧ୍ୟତାମୂଳକ । କିନ୍ତୁ, ଏପର୍ଯ୍ୟନ୍ତ ସେପରି କୌଣସି ଗ୍ରାମସଭା ହୋଇନଥିବାରୁ ଆଇନକୁ ଅବମାନନା କରାଯାଉଥିବା ଅଭିଯୋଗ ଆଣିଛି ସମିତି । ପ୍ରକଳ୍ପ ସ୍ଥାପନ ହେଲେ ଇନ୍ଦ୍ରାବତୀ ଜଳଭଣ୍ଡାର, କୃଷି, ଜଙ୍ଗଲ, ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସମିତି ଆଶଙ୍କା ପ୍ରକାଶ କରିଛି । ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ସମ୍ଭାବ୍ୟ ବିକିରଣ ସ୍ଥାନୀୟ ଜନଜୀବନକୁ ବିପର୍ଯ୍ୟସ୍ତ କରିପାରେ ବୋଲି ଦାବି କରାଯାଇଛି । ଏହାସହ ରେଳ ପ୍ରକଳ୍ପର କାର୍ଯ୍ୟ ଓ ଜୟପୁର ଏୟାରଷ୍ଟ୍ରିପର ଉନ୍ନତିକରଣକୁ ମଧ୍ୟ ଏହି ପ୍ରକଳ୍ପର ଅଂଶବିଶେଷ ବୋଲି ସମିତି କହିଛି । ଆଗାମୀ ଦିନରେ ଏହି ପ୍ରକଳ୍ପକୁ ବିରୋଧ କରି “ସଂଗ୍ରାମ ସମିତି” ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରଦୀପ ମାଝୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଲିପିକା ମାଝୀ ମଧ୍ୟ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରିଛନ୍ତି । ସେମାନେ ସ୍ଥାନୀୟ ଲୋକଙ୍କ ସମ୍ମତି ବିନା କୌଣସି ପ୍ରକଳ୍ପକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏହି ଅଭିଯୋଗକୁ ନେଇ କହିଛନ୍ତି ଯେ, ତାଙ୍କ ନିକଟରେ ଏଭଳି କୌଣସି ପ୍ରକଳ୍ପ ସମ୍ପର୍କିତ ସୂଚନା ନାହିଁ । ଭବିଷ୍ୟତରେ କୌଣସି ବଡ଼ ପ୍ରକଳ୍ପ ଆସିଲେ ଆଇନ ଅନୁଯାୟୀ ଗ୍ରାମସଭା ଓ ପଲ୍ଲୀସଭାର ଅନୁମୋଦନ ପରେ ହିଁ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ରେଳ ପ୍ରକଳ୍ପ ଓ ଏୟାରଷ୍ଟ୍ରିପ ଉନ୍ନତିକରଣକୁ ନ୍ୟୁକ୍ଲିଅର ପ୍ଲାଣ୍ଟ ସହ ଯୋଡ଼ିବା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଅଭିଯୋଗ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଡାବୁ ଗାଁ ବିଧାୟକ ଭୁଜବଳ ମାଝୀ ,ଜିଲ୍ଲା ପରିଷଦ ସଭ୍ୟ ଡ଼ଃ ଲିପିକା ମାଝୀ,ବରିଷ୍ଠ ବିଜେଡି ନେତା ରବି ପଟ୍ଟନାୟକ, ମଞ୍ଜୁଳା ମାଝୀ, କଂଗ୍ରେସର ବରିଷ୍ଠ ନେତା ମୁନା ତ୍ରିପାଠୀ, ପି ନାଗାରତ୍ନମ,ପ୍ରହ୍ଲାଦ ହିଆଲ, ପ୍ରକଳ୍ପ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏବଂ ସମିତିର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


