ବଡଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କୁ ମିଥ୍ୟା ଅଭିଯୋଗର ସମାଧାନ ପାଇଁ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀ ସମାଜ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦର ସମାଧାନ ସହ ଭାଇଚାରା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉଦ୍ଦେଶ୍ୟରେ ବୁଧବାର ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଟାକିରିଆବ୍ରହ୍ମପୁରସ୍ଥିତ କନକଦୁର୍ଗା ମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗତ ୭ ତାରିଖରେ ଗୋପାଳପୁର ନୂଆ ବସଷ୍ଟାଣ୍ଡଠାରେ ୧୫ରୁ ଅଧିକ ମତ୍ସ୍ୟଜୀବୀ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ବୈଠକ ହୋଇଥିଲା। ନୋଳିଆନୂଆଗାଁର ଏ. ବାଲରାଜୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ତେବେ ବୈଠକରେ ବଡଆର୍ଯ୍ୟପଲ୍ଲୀ ଗ୍ରାମର କିଛି ବ୍ୟକ୍ତିଙ୍କ ନାମ ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ମତ୍ସ୍ୟଜୀବୀ ସମାଜ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହାର ସମାଧାନ ପାଇଁ ବୁଧବାର ସାନନୋଳିଆନୂଆଗାଁ, ବଡନୋଳିଆନୂଆଗାଁ, ବଡଆର୍ଯ୍ୟପଲ୍ଲୀ ଓ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ନେଇ କନକଦୁର୍ଗା ମନ୍ଦିରଠାରେ ବୈଠକ ହୋଇଥିଲା। ଗୋପାଳପୁରରେ ହୋଇଥିବା ବୈଠକରେ ବଡଆର୍ଯ୍ୟପଲ୍ଲୀ ଗ୍ରାମର କିଛି ବ୍ୟକ୍ତିଙ୍କୁ ମିଥ୍ୟା ଅଭିଯୋଗ ମାଧ୍ୟମରେ ବଦନାମ କରାଯାଇଥିବା ନେଇ ଗ୍ରାମର ଭଦ୍ରବ୍ୟକ୍ତିମାନେ ଆପତ୍ତି ଉଠାଇଥିଲେ। ବୈଠକରେ ନୋଳିଆନୂଆଗାଁର ଏ. ବାଲରାଜୁ ନିଜ ପୂର୍ବ ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ଗୋପାଳପୁରରେ ହୋଇଥିବା ବୈଠକ ସମୟରେ ବଡଆର୍ଯ୍ୟପଲ୍ଲୀ ଗ୍ରାମକୁ ନେଇ ଭୁଲବଶତଃ କିଛି କଥା କହିଦେଇଥିବା ସେ ପ୍ରକାଶ କରିଥିଲେ। ଏହାକୁ ନେଇ ମତ୍ସ୍ୟଜୀବୀ ଭାଇମାନଙ୍କ ମଧ୍ୟରେ ଆଉ କୌଣସି ମନୋମାଳିନ୍ୟ ନ ରହିବା ସହ ଭାଇଚାରା ବଜାୟ ରଖିବାକୁ ସେ ଗୁରୁତ୍ୱ ଦେଇଥିଲେ। ସେହିପରି ଆସନ୍ତା ୧୪ ତାରିଖରେ ବଡପୁଟି ଗ୍ରାମରେ ୨୭ ଖଣ୍ଡ ମତ୍ସ୍ୟଜୀବୀ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ନେଇ ପୁଣି ଏକ ବୈଠକ ଆୟୋଜନ କରାଯିବ। ଏହି ବୈଠକରେ ବର୍ତ୍ତମାନର ମତଭେଦର ସ୍ଥାୟୀ ସମାଧାନ ସହ ମତ୍ସ୍ୟଜୀବୀ ସମାଜ ମଧ୍ୟରେ ଏକତା, ଭାଇଚାରା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ନେଇ ଆଲୋଚନା କରାଯିବ ବୋଲି ଏ. ବାଲରାଜୁ କହିଛନ୍ତି। ସୂଚନାଯୋଗ୍ୟ, ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ମତ୍ସ୍ୟଜୀବୀମାନଙ୍କଠାରୁ ଅଧିକ ଓ ମନଇଚ୍ଛା କମିଶନ ଆଦାୟ କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ମତ୍ସ୍ୟଜୀବୀ ସମାଜ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ବେଳେ, ଆଗାମୀ ବୈଠକରେ ଏହାର ସ୍ଥାୟୀ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି।


