୮୦ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନରେ ଦେଶଭକ୍ତିର ଭାବନା ସଞ୍ଚାର କରିଥିଲା।
କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ନିଜ ବକ୍ତବ୍ୟରେ ସେ ସ୍ୱାଧୀନତା ସଂଗ୍ରାମରେ ଦେଶର ବୀର ସନ୍ତାନମାନଙ୍କ ଅବଦାନକୁ ସ୍ମରଣ କରିବା ସହ ଯୁବପିଢ଼ିଙ୍କୁ ଦେଶ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା ଏବଂ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ସ୍ୱାଧୀନତା ଦିବସର ଗୁରୁତ୍ୱ ଓ ସାଂସ୍କୃତିକ ଚେତନାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଦେଶପ୍ରେମ ଭିତ୍ତିକ ନାଟିକା ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କ ଚମତ୍କାର ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିବା ସହ ଦୀର୍ଘ ସମୟ ଧରି କରତାଳିରେ ପ୍ରେକ୍ଷାଳୟକୁ ପ୍ରକମ୍ପିତ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ସମନ୍ୱୟ ଭାବେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।


