କଟକ – ଚାନ୍ଦବାଲି ରାଜ୍ୟ ରାଜପଥରେ ଦୁର୍ଘଟଣା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କଟକ-ଚାନ୍ଦବାଲି ରାଜ୍ୟ ରାଜପଥର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବଉଳ ବିହାର ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ସ୍କୁଟି ଆରୋହୀ ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମୟୋଚିତ ପଦକ୍ଷେପ ନେଇ ଜଣେ ପୁଲିସ ଅଧିକାରୀ ସେମାନଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ବଉଳ ବିହାର ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଦୁଇଟି ଟ୍ରକ୍ ରାସ୍ତାଉପରେ ଅଟକି ରହିଥିଲା। ଏହି ସମୟରେ ବିପରୀତ ତଥା ଭୁଲ ଦିଗରୁ ଏକ ବାଉଁଶ ବୋଝେଇ ପିକ୍‌-ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଚାଲିଆସିଥିଲା। ଫଳରେ ସେହି ପଥ ଦେଇ ଯାଉଥିବା ଏକ ସ୍କୁଟି ସହ ପିକ୍‌-ଅପ୍ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ସ୍କୁଟିଟି ଭାଙ୍ଗି ଚୁରମାର ହୋଇଯିବା ସହ ସେଥିରେ ବସିଥିବା ଦୁଇ ଯୁବକ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ହୋଇପଡ଼ିଥିଲେ। ଗୁରୁତର ଆହତ ଦୁଇ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ଗ୍ରାମର ବୋଲି ଜଣାପଡ଼ିଛି। ଘଟଣା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ପହଞ୍ଚିବାରେ ବିଳମ୍ବ ଘଟିଥିଲା। ରକ୍ତସ୍ରାବ ଯୋଗୁଁ ଆହତଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେଉଥିବା ବେଳେ ସେହି ବାଟ ଦେଇ ଯାଉଥିବା ରିଜର୍ଭ ପୋଲିସ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ସେଠାରେ ଅଟକି ଯାଇଥିଲେ। ସେ ବିଳମ୍ବ ନକରି ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତଭିଜା ଦୁଇ ଆହତଙ୍କୁ ନିଜ ସରକାରୀ ଗାଡ଼ିରେ ବସାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତୁରନ୍ତ ସେମାନଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବେ ଶ୍ରୀ ରଣସିଂହଙ୍କ ଏହି ମାନବିକତା ଏବଂ ଦେବଦୂତ ସଦୃଶ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ତାଙ୍କୁ ସାଧୁବାଦ ଜଣାଇଛନ୍ତି। କଟକ ଚାନ୍ଦବାଲି ରାସ୍ତାର ଦୁଇ କଡରେ ବେଆଇନ ଭାବରେ ରାସ୍ତାଉପରେ ଟ୍ରକ ରଖାଯାଉଛି । ଯାହା ଫଳରେ ଦୁର୍ଘଟଣା ଘଟୁଛି। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ