ସ୍ୱାଧୀନତା ଦିବସ ପାଳିତ
ହାଟଡ଼ିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ଦେଶପ୍ରେମର ଭାବନା ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଯୋଗଦେଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଏହି ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ମହାନ ବୀରମାନଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସ୍ୱାଧୀନତାର ମହତ୍ତ୍ୱ ଓ ଦେଶ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ସୁଦୃଢ଼ କରିବା ସହିତ ଦଳମତ ନିର୍ବିଶେଷରେ ସମସ୍ତେ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଦେଶର ଉନ୍ନତିରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଥିବାବେଳେ ଯୁବପିଢ଼ି ଦେଶ ଗଠନରେ ଅଧିକ ସକ୍ରିୟ ଭୂମିକା ନେବା ଦରକାର ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସୁକାନ୍ତି ଯେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସ୍ୱାଧୀନତା ହାସଲ କରିବା ପାଇଁ ଦେଶର ବୀର ସଂଗ୍ରାମୀମାନେ ଦେଇଥିବା ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ହାଟଡ଼ିହି ହାଇସ୍କୁଲ, ଜଳକଳଙ୍ଗ ୟୁଜିୟୁପି ସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧର ଭାବନା ଦେଖିବାକୁ ମିଳିଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସର ଜାତୀୟ ପତାକା ଓ ଦେଶପ୍ରେମର ଭାବନାରେ ମୁଖରିତ ହୋଇଥିଲା। ଉପସ୍ଥିତ ଅତିଥି, ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଦେଶର ସ୍ୱାଧୀନତାର ମୂଲ୍ୟକୁ ସ୍ମରଣ କରିଥିଲେ। ସ୍ୱାଧୀନତା କେବଳ ଉତ୍ସବ ପାଳନରେ ସୀମିତ ନରହି ଦେଶର ଏକତା, ଶାନ୍ତି, ଶୃଙ୍ଖଳା ଓ ବିକାଶ ପାଇଁ ପ୍ରତ୍ୟେକେ ନିଜ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ଦେଶର ଗୌରବ, ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା ପାଇଁ ସମୂହିକ ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ, ଶୃଙ୍ଖଳା ଓ ଦେଶପ୍ରେମର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


